ପେଟ୍ରୋଲ, ଡିଜେଲ ଉପରୁ ଭାଟ୍ କମାଇବା ପାଇଁ ରାଜ୍ୟମାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍ କମାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ବିଶେଷକରି ବିରୋଧୀଦଳ ଶାସିତ ରାଜ୍ୟ ମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍ ହ୍ରାସ ନକରି ରାଜ୍ୟମାନେ ସେମାନଙ୍କ ଲୋକଙ୍କୁ ଲାଭ ଦେଉନାହାଁନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିଶ୍ୱ ସଙ୍କଟ ସମୟରେ କେନ୍ଦ୍ର ଏବଂ ରାଜ୍ୟ ମିଳିମିଶି ଆଗକୁ ବଢ଼ିବା ଉଚିତ।

ରାଜ୍ୟମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଗତ ବର୍ଷ ନଭେମ୍ବରରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। କିନ୍ତୁ ଅନେକ ରାଜ୍ୟ ପେଟ୍ରୋଲ-ଡିଜେଲ ଉପରୁ ଟିକସ କମାଇନଥିଲେ। ସେ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି ଯେ ସାମ୍ପ୍ରତିକ ବିଶ୍ଵ ସ୍ଥିତିର ଏହି ଘଡିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ଏବଂ ରାଜ୍ୟମାନେ ଏକଜୁଟ ହେବାକୁ ପଡ଼ିବ ।

ଭାରତର ଅର୍ଥନୀତିକୁ ମଜବୁତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଯୁଦ୍ଧ ପରିସ୍ଥିତି ଯୋଗୁଁ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି | ଏଭଳି ପରିବେଶରେ ଅନେକ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି | ନଭେମ୍ବରରେ ଆମେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲୁ | ରାଜ୍ୟଗୁଡିକ ମଧ୍ୟ ସମାନ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଥିଲା। କେତେକ ରାଜ୍ୟ ଭାଟ୍ ହ୍ରାସ କରିଥିଲେ ମଧ୍ୟ କିଛି ରାଜ୍ୟ ଭାଟ୍ ହ୍ରାସ ନକରି ନିଜ ରାଜ୍ୟବାସୀଙ୍କୁ ଲାଭ ଦେଇନଥିଲେ। ଏହି କାରଣରୁ, ଅନ୍ୟ ରାଜ୍ୟ ତୁଳନାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅଧିକ ହୋଇଥିଲା | ଗୋଟିଏ ପ୍ରକାରେ ଏହି ରାଜ୍ୟଗୁଡ଼ିକ ଲୋକଙ୍କ ପ୍ରତି ଅନ୍ୟାୟ କରିଥିଲେ ବୋଲି ମୋଦି କହିଥିଲେ ‌।

ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦିଷ୍ଟ ଭାବେ ବିରୋଧୀଙ୍କ ସରକାର ଥିବା ରାଜ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ ଏବଂ ଝାଡଖଣ୍ଡର ନାମ ମଧ୍ୟ ନେଇଥିଲେ । ସେ କହିଥିଲେ ଯେ ଏହି ରାଜ୍ୟ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ କମାଇବା ପାଇଁ କେନ୍ଦ୍ରର ପରାମର୍ଶକୁ ଗ୍ରହଣ କରି ନାହାଁନ୍ତି। ଯାହା ଫଳରେ ଏହି ରାଜ୍ୟର ଲୋକଙ୍କ ଉପରେ ଉପରେ ମହଙ୍ଗା ବୋଝ ଜାରି ରହିଥିଲା | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ମୁଁ ଏହି ରାଜ୍ୟ ଗୁଡ଼ିକୁ ସମାଲୋଚନା କରୁନି ବରଂ ସେମାନଙ୍କୁ ପ୍ରାର୍ଥନା କରୁଛି ଯେ ଗତ ନଭେମ୍ବରରେ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯାହା କରାଯିବାର ଥିଲା ତାହା ବର୍ତ୍ତମାନ ୬ ମାସ ବିଳମ୍ବ ହୋଇଛି। ଭାଟ୍ ହ୍ରାସ କରି ଜନସାଧାରଣଙ୍କୁ ଲାଭ ଦିଅନ୍ତୁ | ଭାରତ ସରକାରଙ୍କ ଆୟ କରୁଥିବା ରାଜସ୍ୱର ୪୨ ପ୍ରତିଶତ ରାଜ୍ୟ ମାନଙ୍କୁ ଯାଉଛି। ବିଶ୍ୱ ସଙ୍କଟ ସମୟରେ ଏକ ଟିମ୍ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.