ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: କେନ୍ଦ୍ର, ରାଜ୍ୟର ତଦନ୍ତକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ, ସବୁ ରେକର୍ଡ ସଂରକ୍ଷିତ ରଖିବାକୁ ହାଇକୋର୍ଟକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପଞ୍ଜାବ ସରକାର, ପଞ୍ଜାବ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ସିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତର ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ରେକର୍ଡ ସଂରକ୍ଷିତ ରଖିବାକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ଖଣ୍ଡପୀଠ ପଞ୍ଜାବ ଓ କେନ୍ଦ୍ର ଦ୍ବାରା ଗଠିତ ତଦନ୍ତ କମିଟିକୁ ସୋମବାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କହିଛନ୍ତି। ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଏବଂ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନ ହୁଏ ତାହା ନିଶ୍ଚିତ କରିବାକୁ ନିବେଦନ କରି ‘ଲଏର୍ସ ଭଏସ୍’ ନାମକ ଏକ ପିଟିସନର ଆଜ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ।

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାର ଗୁରୁତର ଉଲ୍ଲଂଘନ ଅଭିଯୋଗ କରିଥିବା ଏକ ପିଟିସନକୁ ଖଣ୍ଡପୀଠ ଗ୍ରହଣ କରିଛନ୍ତି। ବୁଧବାର ଦିନ ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଗୁରୁତର ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଏକ ଫ୍ଲାଏଓଭରରେ ଅଟକି ରହିଥିଲା ।

Comments are closed.