ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ନରସିଂହାନନ୍ଦଙ୍କ ବିରୋଧରେ ମାମଲା ରୁଜୁ

ଗାଜିଆବାଦ (ୟୁପି): ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲା ଅନ୍ତର୍ଗତ ଦସନା ଦେବୀ ମନ୍ଦିରର ବିବାଦୀୟ ମହନ୍ତ ୟତି ନରସିଂହାନନ୍ଦ ସରସ୍ୱତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଗାଜିଆବାଦ ପୋଲିସ କମିଶନର ଅଜୟ କୁମାର ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ୍ ଏକ ଭିଡିଓ କ୍ଲିପ୍ ଶୁଣିବା ପରେ ପୋଲିସ ସବ୍ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଗୌତମ ଓ୍ବେବ୍ ସିଟି ପୋଲିସ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ।

ମିଶ୍ର କହିଛନ୍ତି, ୧୬ ସେକେଣ୍ଡର ଭିଡିଓରେ ନରସିଂହାନନ୍ଦ ସରସ୍ୱତୀ ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଏବଂ ମୁସଲିମ ମାନଙ୍କ ବିରୋଧରେ ଘୃଣା ଭାଷଣ ଦେଉଛନ୍ତି ।

ନରସିଂହାନନ୍ଦ ସରସ୍ୱତୀଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି ବୋଲି ଗାଜିଆବାଦ ପୋଲିସ କମିଶନର ଅଜୟ କୁମାର ମିଶ୍ର କହିଛନ୍ତି ।

ଯେତେବେଳେ ଏହି ମାମଲାରେ ତାଙ୍କ ପକ୍ଷ ଜାଣିବା ପାଇଁ ମହନ୍ତ ୟତି ନରସିଂହାନନ୍ଦ ସରସ୍ୱତୀଙ୍କୁ ଯୋଗାଯୋଗ କରାଯାଇଥିଲା, ସେ କହିଥିଲେ ଯେ ଏହା ଏକ ପୁରୁଣା ଭିଡିଓ । ମୋତେ ଏହି ଘଟଣାରେ ଜଡିତ କରିବା ପାଇଁ ପୋଲିସ ବାରମ୍ବାର ଏଫ୍ଆଇଆର୍ ରୁଜୁ କରୁଛି।

Comments are closed.