ନୂଆ ସଂସଦ ଭବନ ଆଡ଼କୁ ଯାଉଥିବା ବେଳେ କୁସ୍ତିଯୋଦ୍ଧାଙ୍କୁ ହେପାଜତକୁ ନେଲା ପୋଲିସ, ଜନ୍ତର ମନ୍ତରରୁ ବିକ୍ଷୋଭରତ ଖେଳାଳିଙ୍କ ତମ୍ବୁ ହଟାଗଲା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ସମ୍ମୁଖରେ ମହାପଞ୍ଚାୟତ ଆୟୋଜନ କରିବାକୁ ଯାଉଥିବା ବେଳେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛି । ସାକ୍ଷୀ ମଲିକ, ବିନେଶ ଫୋଗଟ୍ ଏବଂ ବଜରଙ୍ଗ ପୁନିଆଙ୍କ ଭଳି ଷ୍ଟାର ରେସଲରଙ୍କୁ ଏକ ବସ୍‌ରେ ଅଟକ ରଖାଯାଇଛି। ସାକ୍ଷୀଙ୍କ ସହ ଦୁର୍ବ୍ୟବହାର କରାଯାଇଛି ଏବଂ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ତାଙ୍କ ସ୍ବାମୀ ସତ୍ୟବ୍ରତ ଦାବି କରିଛନ୍ତି ।

ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି କୁସ୍ତିଯୋଦ୍ଧାମାନେ ଗତ ଏକମାସ ଧରି ଜନ୍ତର ମନ୍ତରରେ ଆନ୍ଦୋଳନ କରୁଛନ୍ତି । ତେବେ ସେଠାରୁ ସେମାନେ ଆଜି ନୂଆ ସଂସଦ ଭବନ ଆଡ଼କୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଜନ୍ତର ମନ୍ତରରେ ରୋକିଥିଲା । ଏହି ସମୟରେ କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ କହିଛନ୍ତି, ସେମାନେ ଶାନ୍ତିପୂର୍ଣ୍ଣ ଭାବେ ମହାପଞ୍ଚାୟତ କରିବାକୁ ଯାଉଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ବଳପୂର୍ବକ ଅଟକାଇଥିଲା।

ସେପଟେ ଦିଲ୍ଲୀ ପୋଲିସ ଜନ୍ତର ମନ୍ତରକୁ ସଂପୂର୍ଣ୍ଣ ଖାଲି କରିଛି। କୁସ୍ତିଯୋଦ୍ଧାଙ୍କ ବ୍ୟତୀତ ସମସ୍ତ ବିକ୍ଷୋଭକାରୀଙ୍କୁ ଜନ୍ତର ମନ୍ତରରୁ ହଟାଇ ଦିଆଯାଇଛି | କୁସ୍ତି ଖେଳାଳିଙ୍କ ତମ୍ବୁ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ସେଠାରୁ ଖାଲି କରିଛି ପୋଲିସ ।

ମହିଳା କୁସ୍ତିଯୋଦ୍ଧାଙ୍କୁ ବଳପୂର୍ବକ ହଟାଇବା ନେଇ କେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । କଂଗ୍ରେସର ପୂର୍ବତନ ସଭାପତି ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, ରାଜ୍ୟାଭିଷେକ ଶେଷ ହୋଇଛି – ‘ଅହଂକାରୀ ରାଜା’ ରାସ୍ତାରେ ଲୋକଙ୍କ ସ୍ୱରକୁ ଦବାଉଛି।’

କୁସ୍ତି ଖେଳାଳିଙ୍କ ସହ ପୋଲିସର ଏପରି ଆଚରଣ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, ଦେଶର ଗୌରବ ବଢ଼ାଉଥିବା ଆମ କ୍ରୀଡ଼ାବିତଙ୍କ ସହ ଏପରି ଆଚରଣ ଭୁଲ୍ ଏବଂ ନିନ୍ଦନୀୟ।

ଶିବସେନା (ଉଦ୍ଧବ ଗୋଷ୍ଠୀ)ର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ କୁସ୍ତିଯୋଦ୍ଧାମାନଙ୍କ ଦୁର୍ବ୍ୟବହାରକୁ ସମାଲୋଚନା କରିଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, ବିଶ୍ୱ ଚାମ୍ପିଅନ୍ ଭାରତର ଝିଅମାନେ ଆଜି ସେମାନଙ୍କ ସମ୍ମାନ ପାଇଁ ଲଢ଼ୁଛନ୍ତି । କିନ୍ତୁ ଅଭିଯୁକ୍ତ ସାଂସଦଙ୍କୁ ଘଣ୍ଟ ଘୋଡାଇବାକୁ ଲଗାତାର ପ୍ରୟାସ ହେଉଛି । ସରକାର ଏଥିପାଇଁ ଲଜ୍ଜିତ ଅନୁଭବ କରିବା କଥା।

ଏହି ଘଟଣା ନେଇ ବରିଷ୍ଠ ବାମପନ୍ଥୀ ନେତା ସୀତାରାମ ୟେଚୁରୀ କହିଛନ୍ତି, ଗୋଟିଏ ପଟେ ମୋଦୀ ଗଣତନ୍ତ୍ର ଉପରେ ଉପଦେଶ ଦେଉଥିବା ବେଳେ କିଛି ମିଟର ଦୂରରେ ତାଙ୍କ ସରକାରଙ୍କ ପ୍ରକୃତ, ଘୃଣ୍ୟ ଚେହେରା ସାମ୍ନାକୁ ଆସିଛି।”

Comments are closed.