ପଞ୍ଜାବର ପୋଲିସ ଥାନା ଉପରେ ରକେଟ୍ ଲଞ୍ଚର ସହ ଆକ୍ରମଣ

ଚଣ୍ଡିଗଡ଼: ପଞ୍ଜାବର ତରନ ତାରନ୍ ଜିଲ୍ଲାରେ ଏକ ପୋଲିସ ଥାନା ଉପରେ ରକେଟ୍ ଲଞ୍ଚର ସହ ଆକ୍ରମଣ ହୋଇଛି । ସୂଚନାନୁସାରେ, ଏହି ସୀମାନ୍ତ ଜିଲ୍ଲାର ଅମୃତସର-ବଠିଣ୍ଡା ରାଜପଥ ସ୍ଥିତ ସରହଲି ପୋଲିସ ଥାନାରେ କିଛି ଅଜଣା ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ ‘ରକେଟ୍ ଲଞ୍ଚର୍ ଆକ୍ରମଣ’ କରିଥିଲେ। ଏହି କାରଣରୁ ଥାନାର କବାଟ କାଚ ଭାଙ୍ଗି ଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହି ଆକ୍ରମଣରେ କେହି ମୃତାହତ ହୋଇନାହାଁନ୍ତି । ପୋଲିସ ଥାନା କୋଠାରେ ସାମାନ୍ୟ କ୍ଷୟକ୍ଷତି ହୋଇଛି। ରାତି ପ୍ରାୟ ଗୋଟାଏରେ ଏହି ଆକ୍ରମଣ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ସରହଲି ହେଉଛି ଖାଲିସ୍ତାନୀ ଆତଙ୍କବାଦୀ ହରବିନ୍ଦର ସିଂ ରିନ୍ଦାର ପୈତୃକ ସହର | ପାକିସ୍ତାନରେ ତାକୁ ହତ୍ୟା କରାଯାଇଥିବା କୁହାଯାଉଛି। ହରବିନ୍ଦର ସିଂ ନିଷିଦ୍ଧ ଖାଲିସ୍ତାନୀ ସଂଗଠନ ‘ବାବର ଖାଲସା ଇଣ୍ଟରନ୍ୟାସନାଲ୍’ର ଜଣେ ସଦସ୍ୟ । ଚଳିତ ବର୍ଷ ମେ ମାସରେ ପଞ୍ଜାବ ପୋଲିସର ଗୁଇନ୍ଦା ମୁଖ୍ୟାଳୟ ଉପରେ ଆକ୍ରମଣ ସମେତ ବିଭିନ୍ନ ଆତଙ୍କବାଦୀ ମାମଲାରେ ତା’ର ସମ୍ପୃକ୍ତି ଥିଲା ।

Comments are closed.