କେରଳ ନରବଳି ମାମଲା: ଅଭିଯୁକ୍ତ ନରମାଂସ ଭକ୍ଷଣ କରିଥିବା ପୋଲିସର ସନ୍ଦେହ

କୋଚି: ଧନବୃଦ୍ଧି ଆଶାରେ କେରଳର ପଥନାମାଥିଟ୍ଟା ଜିଲ୍ଲାରେ ଦୁଇଜଣ ମହିଳାଙ୍କୁ ବଳି ଦେବା ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଚକିତ କଲା ଭଳି ଖୁଲାସା କରିଛି। ଏପରିକି ବଳି ଦେବା ପରେ ଅଭିଯୁକ୍ତ ନରମାଂସ ଭକ୍ଷଣ କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

କୋଚି ପୋଲିସ କମିଶନର ସିଏଚ୍ ନାଗାରାଜୁଙ୍କ ସୂଚନା ଅନୁଯାୟୀ ବଳି ନାଁରେ ହତ୍ୟାର ଶିକାର ଦୁଇ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର ଏକ ଗାତରୁ ଜବତ କରାଯାଇଛି। ଦୁଇ ମହିଳାଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ସେମାନଙ୍କ ଶରୀରକୁ ଖଣ୍ଡ ବିଖଣ୍ଡ କରି ଗାତ ଖୋଳି ପୋତି ଦିଆଯାଇଥିଲା।

ମହିଳାମାନଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସେମାନଙ୍କ ମାଂସ ଭକ୍ଷଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହାର ଅନୁସନ୍ଧାନ କରାଯାଉଛି ବୋଲି କୋଚି କମିଶନର ନାଗରାଜୁ କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ | ମୁଖ୍ୟ ଅଭିଯୁକ୍ତ ଶାଫି ଜଣେ ବିକୃତ ମାନସିକତାର ବ୍ୟକ୍ତି | ସେ ପ୍ରଥମ ଥର ଏଭଳି ନରବଳି ଦେଇଛି ନା ପୂର୍ବରୁ ମଧ୍ୟ ଏହିପରି ମାମଲା ରହିଛି ତାହାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି । ଏଥିରେ ଶାଫି ଛଡ଼ା ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ୍ କରାଯାଉଛି।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଶାଫି ଫେସବୁକ ଜରିଆରେ ଆର୍ଥିକ ଅଭାବରେ ପଡ଼ିଥିବା ଲୋକଙ୍କୁ ଖୋଜୁଥିଲା । ଏଥିପାଇଁ ଶାଫି ତାଙ୍କ ପତ୍ନୀଙ୍କ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରିଥିଲେ, ଯାହା ତାଙ୍କ ପତ୍ନୀ ଜାଣି ନଥିଲେ।

ଶାଫିଙ୍କ ସହ ଏକ ଦମ୍ପତି ଭଗୱାଲ ସିଂ ଏବଂ ତାଙ୍କ ପତ୍ନୀ ଲୈଲାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଭଗୱାଲ ସିଂ ଏବଂ ଲୈଲାଙ୍କୁ ଧନବୃଦ୍ଧି ପାଇଁ ନରବଳି ଦେବାକୁ ଶାଫି ପ୍ରବର୍ତ୍ତାଇ ଥିଲେ । ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏହି ଦମ୍ପତି ଦୁଇ ଜଣ ମହିଳାଙ୍କୁ ହତ୍ୟା କରିଥିଲେ ।

କୋଚି ପୋଲିସ କମିଶନର ସି.ଏଚ୍ ନାଗାରାଜୁଙ୍କ କହିବାନୁସାରେ, “ସେପ୍ଟେମ୍ୱରର ଶେଷ ସପ୍ତାହରେ ପଦ୍ମାମ ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ତା’ପୂର୍ବରୁ ଜୁନ୍ ମାସରେ ଆଉ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏହି ତିନି ଜଣ ଅଭିଯୁକ୍ତ ଉଭୟ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ସେମାନଙ୍କ ଶବକୁ ନିଜ ଘର ପରିସରରେ ହିଁ ଗାତ ଖୋଳି ପୋତି ଦେଇଥିଲେ ।”ଅଭିଯୁକ୍ତମାନେ ଦୋଷ ସ୍ୱୀକାର କରିଛନ୍ତି । ସେମାନଙ୍କର ବୟାନ ରେକର୍ଡ କରାଯାଇଛି ଏବଂ ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି କୋଚି କମିଶନର ନାଗାରାଜୁ କହିଛନ୍ତି ।

Comments are closed.