ସୂର୍ଯ୍ୟକୁମାର ଯାଦବଙ୍କୁ ବେଆଇନ ସହାୟତା ଅଭିଯୋଗରେ ପୋଲାର୍ଡ ଓ ଡେଭିଡଙ୍କୁ ଜରିମାନା

ନୂଆଦିଲ୍ଲୀ: ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିବା ଅଭିଯୋଗରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ଟିମ୍ ଡେଭିଡ୍ ଏବଂ ବ୍ୟାଟିଂ କୋଚ କାଇରନ୍ ପୋଲାର୍ଡଙ୍କୁ ମ୍ୟାଚ ଫି’ର ୨୦ ପ୍ରତିଶତ ଜରିମାନା ହୋଇଛି।

ଆଇପିଏଲ ତରଫରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଏପ୍ରିଲ ୧୮ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ବେଳେ ଡେଭିଡ୍ ଓ ପୋଲାର୍ଡ ଆଇପିଏଲ ଆଚରଣ ସଂହିତା ଧାରା ୨.୨୦ ଅନ୍ତର୍ଗତ ଲେବଲ-୧ ଉଲ୍ଲଂଘନ କରିଛନ୍ତି। ଉଭୟ ନିଜ ଭୁଲ୍ ମାନିବା ସହ ଦଣ୍ଡାଦେଶ ଗ୍ରହଣ କରିଛନ୍ତିି।

ମ୍ୟାଚର ଏକ ଭାଇରାଲ ଭିଡିଓକୁ ନେଇ ବିବାଦ ପରେ ଡେଭିଡ୍ ଓ‌ ପୋଲାର୍ଡଙ୍କ ଉପରେ ଜରିମାନା ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି, ମୁମ୍ବାଇ ଇଣ୍ଡିଆନ୍ସର ଡଗ୍ଆଉଟରେ ବସିଥିବା ଦଳର ସଦସ୍ୟ ଏବଂ ସପୋର୍ଟ ଷ୍ଟାଫ୍ ସୂର୍ଯ୍ୟକୁମାର ଯାଦବଙ୍କୁ ରିଭ୍ୟୁ ନେବାରେ ବେଆଇନ ଭାବେ ସାହାଯ୍ୟ କରୁଥିଲେ ।

ମୁମ୍ବାଇ ଇନିଂସର ୧୫ତମ ଓଭରରେ ଅର୍ଶଦୀପ ବୋଲିଂ କରିଥିଲେ । ତାଙ୍କର ଏକ ବଲ୍ ଅଫ୍ ଷ୍ଟମ୍ପଠାରୁ ବହୁତ ବାହାରେ ଏବଂ ଲାଇନର ଅତି ନିକଟତର ଥିଲା। ସୂର୍ଯ୍ୟକୁମାର ଯାଦବ ଏହା “ଓ୍ବାଇଡ୍ ବଲ୍” ଭାବି ଅମ୍ପାୟରଙ୍କ ସହ କଥା ହୋଇଥିଲେ । କିନ୍ତୁ ଅମ୍ପାୟାର ଏହାକୁ ଠିକ୍ ଡେଲିଭରୀ ବୋଲି କହିଥିଲେ।

ତେବେ ଟିଭି କ୍ୟାମେରାରେ ମୁମ୍ବାଇ ଇଣ୍ଡିଆନ୍ସର କୋଚ୍ ମାର୍କ ବୁଚର୍, ଇସାରା କରି ସୂର୍ଯ୍ୟକୁମାର ଯାଦବଙ୍କୁ ବଲ୍‌ଟି ଓ୍ବାଇଡ୍ ବୋଲି କହିଥିଲେ । ଏହା ପରେ ଡେଭିଡ୍ ଓ ପୋଲାର୍ଡ ସୂର୍ଯ୍ୟଙ୍କୁ ରିଭ୍ୟୁ ନେବାକୁ କହିଥିଲେ, ଯାହା ନିୟମର ଉଲ୍ଲଂଘନ ଥିଲା।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୯ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଟୁର୍ଣ୍ଣାମେଣ୍ଟରେ ତୃତୀୟ ବିଜୟ ହାସଲ କରିଥିଲା।

Comments are closed.