ଆଇପିଏଲରୁ ପୋଲାର୍ଡଙ୍କ ଅବସର, ମୁମ୍ବାଇ ଇଣ୍ଡିଆନ୍ସ ଦେଲା ନୂଆ ଦାୟିତ୍ବ

ମୁମ୍ୱାଇ: ଓ୍ବେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର କାଇରନ ପୋଲାର୍ଡ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରୁ ଅବସର ଘୋଷଣା କରିଛନ୍ତି । ଆଗାମୀ ସିଜନ୍ ପାଇଁ ମିନି ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଦଳରୁ ରିଲିଜ୍ କରିଦେବା ପରେ ପୋଲାର୍ଡ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ପୋଲାର୍ଡଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନୂଆ ଦାୟିତ୍ବ ଦେଇଛି । ସେ ଏବେ ଦଳର ବ୍ୟାଟିଂ କୋଚ୍ ହେବେ। ପୋଲାର୍ଡ ଚଳିତ ବର୍ଷ ଆରମ୍ଭରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।

ପୋଲାର୍ଡ ୨୦୧୦ରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍ ଖେଳୁଥିଲେ । ଅବସର ପରେ ଏକ ବିବୃତ୍ତିରେ ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ସହଜ ନଥିଲା, କାରଣ ମୁଁ ଆଉ କିଛି ବର୍ଷ ଖେଳିବାକୁ ଚାହୁଁଥିଲି । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଆଲୋଚନା ପରେ ମୁଁ ମୋର ଆଇପିଏଲ୍ କ୍ୟାରିୟର ଶେଷ କରିବାକୁ ନିଷ୍ପତ୍ତି ନେଇଛି। ମୁଁ ବୁିପାରୁଛି ଏହି ଚମତ୍କାର ଫ୍ରାଞ୍ଚାଇଜ୍ ରେ ପରିବର୍ତ୍ତନ ଦରକାର । ଯଦି ମୁଁ ଆଉ ଏମ୍ଆଇ ପାଇଁ ଖେଳିବି ନାହିଁ ତେବେ ମୁଁ ନିଜକୁ ଏହି ଦଳ ବିପକ୍ଷରେ ମଧ୍ୟ ଖେଳୁଥିବା ଦେଖିପାରିବି ନାହିଁ, ‘ଥରେ ଏମ୍ଆଇ ମାନେ ସର୍ବଦା ଏମ୍ଆଇ..।”

ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସହିତ ୫ଟି ଆଇପିଏଲ୍ ଏବଂ ୨ଥର ଚାମ୍ପିଅନ୍ସ ଲିଗ୍ ଟ୍ରଫି ଜିତିଛନ୍ତି | ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ୍ ନଥିବା ବେଳେ ପୋଲାର୍ଡ ମଧ୍ୟ କିଛି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସୟ ନେତୃତ୍ବ ନେଇଥିଲେ ।

ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୮୯ ଟି ମ୍ୟାଚ୍ ଖେଳିଛନ୍ତି। ଏହି ଦଳ‌ ପକ୍ଷରୁ ସେ ୧୭୧ ଇନିଂସରେ ମୋଟ ୩,୪୧୨ ରନ୍ ସଂଗ୍ରହ କରିଥିବାବେଳେ ୫୨ ଥର ଅପରାଜିତ ରହିଛନ୍ତି। ଏଥିରେ ୧୬ ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୮୭ ରନ୍ । ଏହି ଟୁର୍ନାମେଣ୍ଟରେ ତାଙ୍କର ଷ୍ଟ୍ରାଇକ୍ରେଟ୍ ୧୪୭ ରୁ ଅଧିକ ଥିଲା | ଆଇପିଏଲରେ ସେ ୨୧୮ଟି ଚୌକା ଓ ୨୨୩ ଛକା ମାରିଛନ୍ତି।

ପାଞ୍ଚ ଥର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଗତ ସଂସ୍କରଣରେ ଶେଷ ସ୍ଥାନରେ ରହିଥିଲା । ଆଗାମୀ ସିଜନ୍ ପାଇଁ ମିନି ନିଲାମ ପୂର୍ବରୁ ଦଳ ୫ ଖେଳାଳିଙ୍କୁ ରିଲିଜ୍ କରି ୧୦ ଜଣ ଖେଳାଳିଙ୍କୁ ବଜାୟ ରଖିଛି | ରୋହିତ ଶର୍ମା, ଡେଭାଲ୍ଡ ବ୍ରେଭିସ୍, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଡାନିଏଲ ସାମ୍ସ, ଟିମ୍ ଡେଭିଡ, ଜୋଫ୍ରା ଆର୍ଚର, ଯସପ୍ରୀତ ବୁମରା, ତ୍ରିଷ୍ଟାନ ଷ୍ଟବ୍ସ ଏବଂ ତିଳକ ବର୍ମାଙ୍କୁ ମୁମ୍ବାଇ ବଜାୟ ରଖିଛି । । ଅନ୍ୟ ପକ୍ଷରେ ଫାବିଆନ୍ ଆଲେନ୍, କାଇରନ୍ ପୋଲାର୍ଡ, ଟିମାଲ୍ ମିଲ୍ସ, ମୟଙ୍କ ମାର୍କଣ୍ଡେ ଏବଂ ହ୍ରିତିକ ଶୋକିନଙ୍କୁ ଦଳରୁ ରିଲିଜ୍ କରାଯାଇଛି।

Comments are closed.