ଆଜି ପଞ୍ଜାବ ଭୋଟ୍, ୧୧୭ ଆସନରେ ୧୩୦୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଚଣ୍ଡିଗଡ଼: ପଞ୍ଜାବରେ ହାଇ-ଭୋଲଟେଜ୍ ପ୍ରଚାରର ସପ୍ତାହେ ପରେ ରାଜ୍ୟର ୨.୧୪ କୋଟି ଭୋଟର ଆଜି ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆଜି ସକାଳ ୮ ଟାରୁ ୬ ଟା ପର୍ଯ୍ୟନ୍ତ ପଞ୍ଜାବର ୧୧୭ ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ରାଜ୍ୟର ଅନେକ ଭେଟେରାନ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ।

କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଶିରୋମାନି ଅକାଳି ଦଳ-ବିଏସପି ଏବଂ ବିଜେପି ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପଞ୍ଜାବ ଲୋକ କଂଗ୍ରେସର ମେଣ୍ଟ ଏଥର ନିର୍ବାଚନକୁ ବହୁମୁଖୀ ଲଢ଼େଇରେ ପରିଣତ କରିଛି। ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଥିବାବେଳେ ବିଏସପି ସହ ମେଣ୍ଟ କରି ଅକାଳି ଦଳ କ୍ଷମତାକୁ ଫେରିବାକୁ ଆଶା ରଖିଛି।

ପଞ୍ଜାବରେ ୨୦୧୭ ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା। ଏଥର ଦଳ ଭାଗବତ ମାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ରୂପେ ପ୍ରୋଜେକ୍ଟ କରୁଛି ଏବଂ ଦିଲ୍ଲୀର ଆପ୍ ସରକାରଙ୍କ ସଫଳତାକୁ ପୁଞ୍ଜି କରି ପଞ୍ଜାବରେ ଭୋଟ୍ ମାଗିଛି।

କଂଗ୍ରେସ ଚରଣଜିତ୍ ସିଂ ଚନ୍ନିଙ୍କୁ ସିଏମ୍ ଚେହେରା କରିଛି। ସେ ଚମକୌର ସାହେବ ଏବଂ ଭଦୌର ବିଧାନସଭା ଆସନରୁ ଲଢ଼ୁଛନ୍ତି। ଅମୃତସର ଇଷ୍ଟ ଆସନରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଲଢ଼େଇ ଶିରୋମାନି ଅକାଳି ଦଳର ବିକ୍ରମ ସିଂ ମାଜିଥିଆ, ଆପର ଜୀବନଜ୍ୟୋତ କୌର ଓ ବିଜେପିର ଜଗମୋହନ ସିଂ ରାଜୁଙ୍କ ସହ ହେବ।

ସାଙ୍ଗରୁରର ଆପ୍ ସାଂସଦ ତଥା ଦଳର ସିଏମ୍ ପ୍ରାର୍ଥୀ ଭାଗବତ ମାନ ଧୁରୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂ ପୁଣି ଥରେ ପଟିଆଲା ନିର୍ବାଚନମଣ୍ଡଳୀରୁ ଭାଗ୍ୟ ପରୀକ୍ଷା କରୁଛନ୍ତି।

ଅନେକ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିରୋମାନି ଅକାଲୀ ଦଳର ନେତା ପ୍ରକାଶ ସିଂ ବାଦଲ ଲମ୍ବି ଆସନରୁ ଲଢ଼ୁଥିବା ବେଳେ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ଜାଲାଲାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ଏହାର ପଞ୍ଜାବ ୟୁନିଟ୍ ସଭାପତି ଅଶ୍ୱିନୀ କୁମାର ଶର୍ମାଙ୍କୁ ପଠାନକୋଟ ଆସନରୁ ପ୍ରାର୍ଥୀ କରିଛି।

Comments are closed.