ଆଉ ନାହାଁନ୍ତି ଲୋକପ୍ରିୟ ଗାୟକ କେକେ, କୋଲକାତାରେ ଲାଇଭ୍ ଶୋ ପରେ ପରଲୋକ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ କୃଷ୍ଣକୁମାର କୁନ୍ନାଥ ଆଉ ନାହାଁନ୍ତି ।ସୋମବାର ବିଳମ୍ବିତ ରାତିରେ କୋଲକାତାରେ ଏକ ଲାଇଭ୍ ଶୋ ପରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା | ସେ କେକେ ଭାବେ ପରିଚିତ ଥିଲେ ।

କେକେ ଏକ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଲକାତା ଆସିଥିଲେ | କାର୍ଯ୍ୟକ୍ରମ ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। କାର୍ଯ୍ୟକ୍ରମରୁ ଫେରିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ମରାଠୀ, ବଙ୍ଗାଳୀ ଏବଂ ଗୁଜରାଟୀ ଚଳଚ୍ଚିତ୍ରରେ ଅନେକ ଗୀତ ଗାଇଥିବା କେକେ କୋଲକାତାର ଗୁରୁଦାସ କଲେଜରେ ଏକ ଲାଇଭ ଶୋ’ କରିଥିଲେ ।
ଏହି ଲାଇଭ୍ ସୋ ନାଜରୁଲ୍ ମଞ୍ଚରେ ହୋଇଥିଲା | କିନ୍ତୁ ଶୋ ବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ସେ ହୋଟେଲକୁ ଫେରିଥିଲେ।

ହୋଟେଲରେ କିଛି ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ସେ ମନା କରିଥିଲେ। କେକେଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

୧୯୬୮ ଅଗଷ୍ଟ ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା କେକେ ‘ହମ୍ ଦିଲ୍ ଦେ ଚୁକେ ସନମ୍’ରୁ ବଲିଉଡରେ ବ୍ରେକ୍ ପାଇଥିଲେ । ଉକ୍ତ ଫିଲ୍ମର ‘ ତଡପ୍ ତଡପ୍ କେ ଇସ୍ ଦିଲ୍ ସେ … ‘ଗୀତ ତାଙ୍କୁ ଶ୍ରୋତାଙ୍କ ନିକଟରେ ପରିଚିତ କରାଇଥିଲା । ସେହିବର୍ଷ ‘ରକଫୋର୍ଡ’ ଫିଲ୍ମର ‘ୟାରୋଁ ଦୋସ୍ତି..’ ଏବଂ ଇଣ୍ଡିପପ୍ ଆଲବମ୍ ‘ପଲ୍’ ସହ ସେ ଲୋକପ୍ରିୟତା ହାସଲ କରିଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଇ ଚାଲିଥିଲେ।

କେକେଙ୍କ ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅକ୍ଷୟ କୁମାର, ଆଦନାନ ସାମି, ସଂଗୀତ ନିର୍ଦ୍ଦେଶକ ବିଶାଲ ଦାଦଲାନି ପ୍ରମୁଖ କେକେଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

Comments are closed.