ସରକାରୀ ପୁରସ୍କାର ସୁପାରିସ ପାଇଁ ‘ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ’ର ଶୁଭାରମ୍ଭ

ନୂଆଦିଲ୍ଲୀ : ସ୍ୱଚ୍ଛତା ଏବଂ ଜନ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ସରକାର ପଦ୍ମ ପୁରସ୍କାର ସମେତ ସମସ୍ତ ସରକାରୀ ପୁରସ୍କାରର ସୁପାରିସ ଏବଂ ନାମାଙ୍କନ ପାଇଁ ଏକ ସାଧାରଣ ପୋର୍ଟାଲ ଆରମ୍ଭ କରିଛନ୍ତି |

ବୁଧବାର ପ୍ରକାଶିତ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏହି ପୋର୍ଟାଲ ପ୍ରତ୍ୟେକ ନାଗରିକ ତଥା ସଂଗଠନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ପୁରସ୍କାର ପାଇଁ ବ୍ୟକ୍ତି କିମ୍ବା ସଂଗଠନକୁ ମନୋନୀତ କରିବାରେ ସହାୟକ ହେବ ।

ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ଏଜେନ୍ସିର ସମସ୍ତ ପୁରସ୍କାରକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ଉଦ୍ଦେଶ୍ୟରେ “ରାଷ୍ଟ୍ରୀୟ ପୁରସ୍କାର” ପୋର୍ଟାଲକୁ ବିକଶିତ କରାଯାଇଛି।

ବର୍ତ୍ତମାନ ପଦ୍ମ ପୁରସ୍କାର ସମେତ ଅନେକ ପୁରସ୍କାର ପାଇଁ ନାମାଙ୍କନ କିମ୍ବା ସୁପାରିସ କରାଯାଇପାରିବ |

ପଦ୍ମ ପୁରସ୍କାର ପାଇଁ ନାମାଙ୍କନ କିମ୍ବା ସୁପାରିସ ଲାଗି ଶେଷ ତାରିଖ ସେପ୍ଟେମ୍ବର ୧୫ ହୋଇଥିବା ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ଜାତୀୟ ପୁରସ୍କାର “ବୟୋଶ୍ରେଷ୍ଠ ସମ୍ମାନ” ପାଇଁ ମନୋନୟନ କିମ୍ବା ସୁପାରିସ ପାଇଁ ଶେଷ ତାରିଖ ହେଉଛି ଅଗଷ୍ଟ ୧୮ | ଭିନ୍ନକ୍ଷମମାନଙ୍କୁ ସଶକ୍ତିକରଣରେ ନିୟୋଜିତ ଅନୁଷ୍ଠାନଗୁଡିକ ପାଇଁ ଜାତୀୟ ପୁରସ୍କାର -୨୦୨୧ ପାଇଁ ନାମାଙ୍କନ ଓ ସୁପାରିସ ପାଇଁ ଶେଷ ତାରିଖ ଅଗଷ୍ଟ ୨୮ |

ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପାଇଁ ନାମାଙ୍କନ ତଥ ସୁପାରିସ ପାଇଁ ଶେଷ ତାରିଖ ଅଗଷ୍ଟ ୩୧ | ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ମନୋନୟନ ତଥା ସୁପାରିସ ପାଇଁ ଶେଷ ତାରିଖ ହେଉଛି ଜୁଲାଇ ୩୧ | ମଦ୍ୟପାନ ଏବଂ ନିଶା ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ପୁରସ୍କାର ପାଇଁ ନାମାଙ୍କନ କିମ୍ବା ସୁପାରିସ ପାଇଁ ଶେଷ ତାରିଖ ହେଉଛି ଜୁଲାଇ ୩୦ |

Comments are closed.