ଗର୍ଭବତୀ ଭାରତୀୟ ମହିଳାଙ୍କ ମୃତ୍ୟୁ ପରେ ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ

ଲିସବନ୍: ଦେଶର ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ପଠାଯିବା ସମୟରେ ଜଣେ ଗର୍ଭବତୀ ଭାରତୀୟ ମହିଳାଙ୍କ ମୃତ୍ୟୁ ପରେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଜଣେ ୩୪ ବର୍ଷୀୟ ଗର୍ଭବତୀ ଭାରତୀୟ ମହିଳାଙ୍କୁ ଲିସବନର ସାନ୍ତା ମାରିଆ ହସ୍ପିଟାଲରୁ ଅନ୍ୟ ଏକ ହସ୍ପିଟାଲକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ସମୟରେ ହୃଦଘାତ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସାଣ୍ଟା ମାରିଆ ହସ୍ପିଟାଲରେ ନବଜାତକ ଓ୍ବାର୍ଡରେ ସ୍ଥାନର ଅଭାବ ଯୋଗୁଁ ମହିଳାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପର୍ତ୍ତୁଗାଲରେ ଏପରି ଘଟଣା ପ୍ରଥମ ଥର ଘଟି ନାହିଁ । ଚଳିତ ବର୍ଷ ଏପରି ଅନେକ ଘଟଣା ଘଟିଛି । ଏଥିପାଇଁ ଦେଶର ଡାକ୍ତରଖାନାଗୁଡ଼ିକରେ ନବଜାତ ଶିଶୁ ଚିକିତ୍ସା ବିଭାଗରେ କର୍ମଚାରୀ ଅଭାବକୁ ଦାୟୀ କରାଯାଉଛି ।

ଟେମିଡୋ ୨୦୧୮ରୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି ଏବଂ ଦେଶରେ କରୋନା ସଂକ୍ରମଣ ସମୟରେ ପରିସ୍ଥିତିକୁ ସଠିକ୍ ପରିଚାଳନା କରିଥିବାର ଶ୍ରେୟ ତାଙ୍କୁ ଦିଆଯାଇଥିଲା । କିନ୍ତୁ ଗର୍ଭବତୀ ଭାରତୀୟ ମହିଳାଙ୍କ ମୃତ୍ୟୁ ପରେ ସେ ଆଉ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ପଦ ବଜାୟ ରଖିବା‌ ଠିକ୍ ହେବନାହିଁ ବୋଲି ଟେମିଡୋ ହୃଦବୋଧ୍ କରିଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା କହିଛନ୍ତି ଯେ ମହିଳାଙ୍କ ମୃତ୍ୟୁ ଏକ ନିର୍ଣ୍ଣାୟକ ଘଟଣା ଯାହା ଟେମିଡୋଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟନ ପାଇଁ ଆସିଥିବା ଗର୍ଭବତୀ ଭାରତୀୟ ମହିଳାଙ୍କୁ ଲିସବନର ସାଣ୍ଟା ମାରିଆ ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ନବଜାତକ ଚିକିତ୍ସା ବିଭାଗରେ ସ୍ଥାନ ଅଭାବରୁ ତାଙ୍କୁ ଆମ୍ବୁଲାନ୍ସରେ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ରିପୋର୍ଟରେ କୁହାଯାଇଛି ଯେ ମହିଳାଙ୍କ ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସେ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି।

Comments are closed.