ମମତାଙ୍କ ଭବାନୀପୁର ଆସନରୁ ଭୋଟର ହେଲେ ପ୍ରଶାନ୍ତ କିଶୋର

କୋଲକାତା: ପଶ୍ଚିମବଙ୍ଗର ଗୁରୁତ୍ୱପୂର୍ଣ୍ଣ ଭବାନୀପୁର ଉପନିର୍ବାଚନ ପୂର୍ବରୁ ରାଜନୈତକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିଜକୁ ଭବାନୀପୁରରେ ଭୋଟର ଭାବରେ ପଞ୍ଜୀକୃତ କରିଥିବା ଜଣାପଡିଛି। ଏଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନ ଲଢ଼ୁଛନ୍ତି । ପ୍ରଶାନ୍ତ କିଶୋର ଏହା ପୂର୍ବରୁ ବିହାରର ରୋହତସ ଜିଲ୍ଲାର ନିଜ ଗାଁରେ ଭୋଟର ଥିଲେ।

ବିଧାନସଭା ନିର୍ବାଚନରେ ​​ଚମତ୍କାର ପ୍ରଦର୍ଶନ ସହିତ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ତୃଣମୂଳ କଂଗ୍ରେସ କ୍ଷମତା ବଜାୟ ରଖିବାରେ ପ୍ରଶାନ୍ତ କିଶୋରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ବିଧାନସଭା ନିର୍ବାଚନ ବେଳେ ମମତାଙ୍କ ପରାମର୍ଶଦାତା ଥିଲେ ପ୍ରଶାନ୍ତ କିଶୋର । ସେ ସେଠାରେ ଜଣେ ଭୋଟର ଭାବରେ ନିଜର ପଞ୍ଜିକରଣ କରାଇଥିଲେ। ଯାହା ତାଙ୍କୁ କୋଲକାତା ଦକ୍ଷିଣ ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟର ଭାବରେ ଦର୍ଶାଉଛି | ସେ ଏପ୍ରିଲ-ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଭୋଟ୍ ଦେଇଥିଲେ।

ବିଧାନସଭା ନିର୍ବାଚନ ମଝିରେ ତାଙ୍କୁ କୋଲକାତାରୁ ବାହାର କରିଦେବା ପାଇଁ ନିର୍ବାଚନ ଆୟୋଗ ଉପରେ ବିଜେପି ଚାପ ପକାଇପାରେ ବୋଲି ଆଶଙ୍କା ଦୃଷ୍ଟିରୁ ସେ ନିଜକୁ ପଶ୍ଚିମବଙ୍ଗର ଭୋଟର ଭାବେ ପଞ୍ଜିକରଣ କରିଥାଇ ପାରନ୍ତି ବୋଲି କୁହାଯାଉଛି ।

ପ୍ରଶାନ୍ତ କିଶୋର ଦେଇଥିବା ନିଜ ଠିକଣାରେ ତୃଣମୂଳ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ “କେୟାର ଅଫ୍” ଭାବେ ଦର୍ଶାଇଛନ୍ତି। ଏଠାରେ ସେ କୋଭିଡ ଲକଡାଉନ୍ ସମୟରେ ରହୁଥିଲେ |

ପ୍ରଶାନ୍ତ କିଶୋର ଏବଂ ତାଙ୍କ ଭାରତୀୟ ରାଜନୈତିକ କ୍ରିୟାନୁଷ୍ଠାନ କମିଟି (ଆଇ-ପିଏସି)ଙ୍କ ସହାୟତାରେ ମମତା ବାନାର୍ଜୀଙ୍କ ଦଳ ୨୯୧ଟି ଆସନ ମଧ୍ୟରୁ ୨୧୩ଟି ଆସନରେ ବିଜୟୀ ହୋଇଥିଲା। ଏହି ବିପୁଳ ବିଜୟ ପରେ ତୃଣମୂଳ କଂଗ୍ରେସ ଆଇ-ପିଏସି ସହିତ ଚୁକ୍ତିକୁ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛି ବୋଲି ଖବର ଆସିଥିଲା ।

Comments are closed.