ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ପ୍ରସିଦ୍ଧ କ୍ରିଷ୍ଣା ସାମିଲ

ଲଣ୍ଡନ: ଆସନ୍ତାକାଲି ଠାରୁ ଓଭାଲରେ ଆରମ୍ଭ ହେଉଥିବା ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ୍ ଦଳ ଦଳରେ କିଛି ପରିବର୍ତ୍ତନ ହୋଇଛି। ଲିଡ୍ସରେ ଏକ ଇନିଂସ ଏବଂ ୭୬ ରନରେ ପରାଜୟ ପରେ ଟିମ୍ ମ୍ୟାନେଜମେଣ୍ଟ ଅନୁରୋଧ କ୍ରମେ ସିନିୟର ଚୟନ କମିଟି ଚତୁର୍ଥ ଟେଷ୍ଟ ପାଇଁ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଭାରତୀୟ ଦଳରେ ସାମିଲ କରିଛି।

ପ୍ରସିଦ୍ଧ କ୍ରିଷ୍ଣା ଷ୍ଟାଣ୍ଡବାଇ ଖେଳାଳି ଭାବେ ଟିମ୍ ଇଣ୍ଡିଆ ସହ ଇଂଲଣ୍ଡ ଗସ୍ତରେ ଯାଇଥିଲେ। ତୃତୀୟ ଟେଷ୍ଟରେ ଭାରତର ପରାଜୟ ପରେ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଭାରତ ନିଜ ଏକାଦଶରେ କିଛି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇପାରେ ବୋଲି ମନେ କରାଯାଉଛି ।

ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଚତୁର୍ଥ ଟେଷ୍ଟରେ ଡେବ୍ୟୁ କରିପାରିବେ। ୱିକେଟ୍ ର ଉଭୟ ପାର୍ଶ୍ୱରେ ବଲ୍ ସୁଇଙ୍ଗ୍ କରିପାରୁଥିବା ପ୍ରସିଦ୍ଧ ଏପର୍ଯ୍ୟନ୍ତ ଭାରତ ପାଇଁ ତିନିଟି ଦିନିକିଆ ଖେଳି ୬ଟି ଟି ୱିକେଟ୍ ନେଇଛନ୍ତି | ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ନିଜ ଡେବ୍ୟୁ ମ୍ୟାଚରେ ସେ ଚାରିଟି ୱିକେଟ୍ ନେଇଥିଲେ।

ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ ହୋଇପାରେ। ଇଶାନ୍ତ ଶର୍ମାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା, ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଆର୍.ଅଶ୍ୱିନ ଏବଂ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ କିମ୍ବା ହନୁମା ବିହାରୀଙ୍କୁ ସୁଯୋଗ ମିଳିପାରେ ।

ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା, କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (କ୍ୟାପଟେନ), ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ, ଆର୍ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜସପ୍ରୀତ ବୁମ୍ରା , ଇଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ରିଦ୍ଧିମାନ ସାହା, ଅଭିମନ୍ୟୁ ଈଶ୍ବରନ, ପୃଥ୍ବୀ ଶ’, ସୂର୍ଯ୍ୟକୁମାର ଯାଦବ, ପ୍ରସିଦ୍ଧ କ୍ରିଷ୍ଣା |

Comments are closed.