ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ସାରା ଦେଶରେ ପୂଜାର୍ଚ୍ଚନା, ନମାଜ ପାଠ

ନୂଆଦିଲ୍ଲୀ: ଆଜି ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ସାରା ଦେଶ ଏହି ମୁହୂର୍ତ୍ତକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଚନ୍ଦ୍ରଯାନ-୩ର ସଫଳତା କାମନା କରି ଭାରତ ସହ ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ଧର୍ମର ଭାରତୀୟମାନେ ପ୍ରାର୍ଥନା ଓ ପୂଜାପାଠ କରିଛନ୍ତି ।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅନୁଯାୟୀ, ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୦୬:୦୪ ମିନିଟରେ ଚନ୍ଦ୍ରରେ ଅବତରଣ କରିବାକୁ ଉଦ୍ୟମ କରିବ।

ଚନ୍ଦ୍ରଯାନ-୩ ମିଶନର ଅବତରଣ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ରିଷିକେଶର ପରମାର୍ଥ ନିକେତନ ଘାଟରେ ଗଙ୍ଗା ଆଳତୀ କରାଯାଇଥିଲା। ଗଙ୍ଗା ଆଳତୀ ପୂର୍ବରୁ ଯଜ୍ଞ ଅନୁଷ୍ଠିତ ହୋଇଥିଲା | ଏହାଛଡ଼ା ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚନ୍ଦ୍ରଯାନର ସଫଳ ଅବତରଣ ପାଇଁ ‘ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ’ରେ ସାମୂହିକ ନମାଜ ପାଠ ହୋଇଥିଲା ।

ମଧ୍ୟପ୍ରଦେଶର ଉଜ୍ଜୟିନୀ ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ମଧ୍ୟ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ଏକ ସ୍ୱତନ୍ତ୍ର ‘ଭସ୍ମ ଆଳତୀ’ ହୋଇଥିଲା । ଏହାଛଡ଼ା ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଆମେରିକାର ଭର୍ଜିନିଆର ଏକ ମନ୍ଦିରରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଚନ୍ଦ୍ରଯାନର ସଫଳତା ପାଇଁ ଆମେରିକାର ନ୍ୟୁ ଜର୍ସିର ଓମ୍ ଶ୍ରୀ ସାଇ ବାଲାଜୀ ମନ୍ଦିର ଏବଂ ସାଂସ୍କୃତିକ କେନ୍ଦ୍ରରେ ସାମୂହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଛି ।

Comments are closed.