ଟ୍ରାକରେ ତ୍ରୁଟି ଯୋଗୁଁ ଘଟିଥିଲା ବିହାର ଟ୍ରେନ ଦୁର୍ଘଟଣା

ନୂଆଦିଲ୍ଲୀ: ଟ୍ରାକରେ ତ୍ରୁଟି ବିହାର ଟ୍ରେନ ଦୁର୍ଘଟଣାର ସମ୍ଭାବ୍ୟ କାରଣ ହୋଇଥାଇପାରେ ବୋଲି ରେଳବାଇର ପ୍ରାଥମିକ ତଦନ୍ତ ରିପୋର୍ଟରେ କୁହାଯାଇଛି । କାମାକ୍ଷା ନର୍ଥ ଇଷ୍ଟ ଏକ୍ସପ୍ରେସ ବୁଧବାର ରାତିରେ ବିହାରର ବକ୍ସର ରଘୁନାଥପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୫ ଜଣ ଆହତ ହୋଇଥିଲେ । ଏହି ଦୁର୍ଘଟଣା ଯୋଗୁଁ ଦୁଇଟି ମୁଖ୍ୟ ଓ ଦୁଇଟି ଲୁପ୍ ଲାଇନ ନଷ୍ଟ ହୋଇଛି | ଏହାଛଡ଼ା ଏହି ଟ୍ରେନ୍ ଦୁର୍ଘଟଣା ଯୋଗୁଁ ରେଳବାଇକୁ ୫୨ କୋଟିରୁ ଅଧିକ ଟଙ୍କା କ୍ଷତି ସହିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି ।

ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଲୋକୋ ପାଇଲଟ୍ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ସହାୟକ ଗୁରୁତର ଆହତ ହୋଇଥିଲେ। ରେଳବାଇର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଲୋକୋ ପାଇଲଟଙ୍କ ବୟାନ ମଧ୍ୟ ସାମିଲ କରାଯାଇଛି। ସୂଚନାନୁସାରେ, ରଘୁନାଥପୁର ଷ୍ଟେସନ ଅତିକ୍ରମ କଲାବେଳେ ଟ୍ରେନର ବେଗ ଘଣ୍ଟା ପ୍ରତି ୧୨୮ କିଲୋମିଟର ଥିଲା ।

Comments are closed.