ମୋଦୀଙ୍କୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି, ରବିବାର ଶପଥ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦୀଙ୍କୁ ପରବର୍ତ୍ତୀ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଛନ୍ତି ‌। ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ରବିବାର (ଜୁନ୍ ୯) ଶପଥ ନେବେ । ଜବାହାରଲାଲ ନେହେରୁଙ୍କ ପରେ ମୋଦୀ ଭାରତର ପ୍ରଥମ ନେତା ଭାବେ କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ପୁରୁଣା ସଂସଦର ସେଣ୍ଟ୍ରାଲ୍ ହଲ୍ (ସମ୍ବିଧାନ ସଦନ)ରେ ଅନୁଷ୍ଠିତ ବୈଠକରେ ମୋଦୀଙ୍କୁ ଏନଡିଏ ସଂସଦ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା । ଏନଡିଏର ୧୩ ଦଳର ନେତା ଏହି ବୈଠକରେ ଯୋଗ ଦେଇଥିଲେ। ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଅମିତ ଶାହା ଏହାକୁ ସମର୍ଥନ କରିଥିଲେ ଏବଂ ନିତିନ ଗଡକରୀ ଅନୁମୋଦନ କରିଥିଲେ। ଜେଡିଏସ ସଭାପତି କୁମାରସ୍ୱାମୀଙ୍କ ସହ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଘୋଷଣା କରିଥିଲେ ।
ଏହି ବୈଠକରେ ଏନଡିଏର ସମସ୍ତ ୨୯୩ ସାଂସଦ, ରାଜ୍ୟସଭା ସାଂସଦ ଏବଂ ବିଜେପି ଶାସିତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ବୈଠକ ପରେ ମୋଦୀଙ୍କ ନେତୃତ୍ଵରେ ଏନଡିଏର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ।

ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର (୨୭୨) ଛୁଇଁ ପାରି ନାହିଁ । ଦଳ ଏଥର ୨୪୦ ଆସନରେ‌ ସୀମିତ ରହିଛି । ତେବେ ଏନଡିଏ ୨୯୩ ଆସନ ସଂଖ୍ୟାଗରିଷ୍ଠତା ଟପିଥିବାରୁ ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପଥ ସୁଗମ ହୋଇଯାଇଛି। ବିଜେପି ବ୍ୟତୀତ ଏନଡିଏରେ ୧୪ ସହଯୋଗୀ ଦଳର ୫୩ ସାଂସଦ ଅଛନ୍ତି। ଏଥିମଧ୍ୟରୁ ଚନ୍ଦ୍ରବାବୁଙ୍କ ଟିଡିପି ୧୬ ଆସନ ସହ ଏନଡିଏର ଦ୍ୱିତୀୟ ଏବଂ ନୀତୀଶଙ୍କ ଜେଡିୟୁ ୧୨ଟି ସିଟ୍ ସହିତ ତୃତୀୟ ବୃହତ୍ତମ ଦଳ ହୋଇଛି। ଏଥର ବିଜେପି ପାଇଁ ଏହି ଉଭୟ ଦଳ ଗୁରୁତ୍ୱପୂର୍ଣ୍ଣ।

Comments are closed.