ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଘଟ ଅଭିଯୋଗରେ ସେନା ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଏସ୍ଏଫସି)ର ଜଣେ ସେନା ମେଜରଙ୍କୁ ସେବାରୁ ବରଖାସ୍ତ କରିଛନ୍ତି। ଏକ ଉଚ୍ଚ ସ୍ତରୀୟ ତଦନ୍ତରେ ମେଜର ଜଣକ ଜାତୀୟ ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ମାର୍ଚ୍ଚ ୨୦୨୨ରେ ବହିଷ୍କୃତ ମେଜରଙ୍କ ସନ୍ଦେହଜନକ ଗତିବିଧି ନେଇ ତଦନ୍ତ ଆରମ୍ଭ କରିଥିଲା ସେନା । ପାକିସ୍ତାନୀ ଗୁପ୍ତଚର ଏଜେନ୍ସିରେ କାମ କରୁଥିବା ଜଣେ ଅପରେଟିଭଙ୍କ ସହ ମେଜରଙ୍କ ସୋସିଆଲ ମିଡିଆ ଲିଙ୍କ ଥିଲା ବୋଲି ତଦନ୍ତରୁ ଜଣାପଡିଥିଲା ।

ମେଜରଙ୍କ ଫୋନରୁ ଅନେକ ସମ୍ବେଦନଶୀଳ ତଥ୍ୟ ମିଳିଥିଲା ଯାହା ସୁରକ୍ଷା ପ୍ରୋଟୋକଲର ଉଲ୍ଲଂଘନ ଥିଲା | ଜାତୀୟ ସୁରକ୍ଷା ପ୍ରୋଟୋକଲର ସମ୍ଭାବ୍ୟ ଉଲ୍ଲଂଘନ ଅଭିଯୋଗରେ ଜଣେ ବ୍ରିଗେଡିୟର୍-ର଼୍ୟାଙ୍କ୍ ଅଧିକାରୀଙ୍କ ସମେତ ପ୍ରାୟ ୧୮ ଜଣ ପ୍ରତିରକ୍ଷା କର୍ମଚାରୀଙ୍କ ବିରୋଧରେ ପୃଥକ ତଦନ୍ତ ଚାଲିଛି ।

ଏମାନେ ସବୁ ‘ପଟିଆଲା ପେଗ୍’ ନାମକ ଏକ ହ୍ବାଟସଆପ୍ ଗ୍ରୁପର ଅଂଶ ଥିଲେ। ଏହି ହ୍ବାଟସଆପ୍ ଗ୍ରୁପରେ ବହିଷ୍କୃତ ମେଜର ମଧ୍ୟ ସାମିଲ ଥିଲେ | ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ଅଧିକାରୀଙ୍କ ବିରୋଧରେ ସେନା ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରେ।

ଆର୍ମି ଆକ୍ଟ ୧୯୫୦ ଅଧୀନରେ ନିଜର କ୍ଷମତା ବ୍ୟବହାର କରି ରାଷ୍ଟ୍ରପତି (ଯିଏକି ତିନି ସେବାର ସର୍ବୋଚ୍ଚ କମାଣ୍ଡର) ପ୍ରାୟ ଏକ ସପ୍ତାହ ତଳେ ମେଜରଙ୍କୁ ବରଖାସ୍ତ କରିବାକୁ ଆଦେଶରେ ଦସ୍ତଖତ କରିଥିଲେ।

ସେପ୍ଟେମ୍ବର ମାସ ମଧ୍ୟଭାଗରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ମେଜରଙ୍କ ବହିଷ୍କାର ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ।

Comments are closed.