ସାଧାରଣ ଲୋକଙ୍କୁ ବଡ଼ ଝଟକା, ଏପ୍ରିଲ ପହିଲାରୁ ବଢ଼ିବ ୯୦୦ ଜରୁରୀ ଔଷଧର ଦାମ୍

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ସାଧାରଣ ଲୋକଙ୍କ ମୁଣ୍ଡ ଉପରେ ପଡ଼ିବ ମହଙ୍ଗା ଚଡ଼କ । ଲୋକଙ୍କୁ ଏବେ ଅନେକ ଜରୁରୀ ଔଷଧ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ | ଏପ୍ରିଲ୍ ୧ରୁ ଆଣ୍ଟିବାୟୋଟିକ୍ ଠାରୁ ପେନ୍ କିଲର୍ ପର୍ଯ୍ୟନ୍ତ ଅନେକ ଜରୁରୀ ଔଷଧର ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଯାଏଁ ବଢିଯିବ।

ପେନ୍ କିଲର୍, ଆଣ୍ଟି-ଇନଫେକ୍ସନ୍ ଏବଂ ହୃଦ୍ ରୋଗ ପାଇଁ ଔଷଧ ଠାରୁ ଆଣ୍ଟିବାୟୋଟିକ୍ ଭଳି ଅତ୍ୟାବଶ୍ୟକ ମେଡିସିନ ଏବେ ମହଙ୍ଗା ହେବ । ବାର୍ଷିକ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଇ)ରେ ପରିବର୍ତ୍ତନ ଅନୁଯାୟୀ ଫାର୍ମା କମ୍ପାନୀଗୁଡ଼ିକୁ ଏହି ସବୁ ଔଷଧ ଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ସରକାର ଅନୁମତି ଦେଇଛନ୍ତି। ମହଙ୍ଗା ହେବାକୁ ଯାଉଥିବା ଔଷଧ ଗୁଡ଼ିକ ମଧ୍ୟରେ ସାଧାରଣ ଜ୍ୱର ଓ ଶରୀର ପୀଡା ପାଇଁ ବ୍ୟବହୃତ ପାରାସିଟାମଲ ମଧ୍ୟ ରହିଛି ।

ଏକ ରିପୋର୍ଟ ଅନୁଯାୟୀ, ପେନ୍ କିଲର୍, ଆଣ୍ଟି-ଇନଫେକ୍ଟିଭ୍, ଆଣ୍ଟିବାୟୋଟିକ୍ ଏବଂ ହୃଦ୍ ରୋଗ ସମେତ ପ୍ରାୟ ୯୦୦ ଜରୁରୀ ଔଷଧର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ହୋଇପାରେ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଜାତୀୟ ଔଷଧ ତାଲିକାରେ ସାମିଲ ମେଡ଼ିସିନ ଗୁଡ଼ିକର ମୂଲ୍ୟ ଅଣ ତାଲିକାଭୁକ୍ତ ଔଷଧ ତୁଳନାରେ ଅଧିକ ହେବ।

ଉଲ୍ଲେଖଯୋଗ୍ୟ, ପୂର୍ବ କ୍ୟାଲେଣ୍ଡର ବର୍ଷର ବାର୍ଷିକ ପାଇକାରୀ ମୂଲ୍ୟ ସୂଚକାଙ୍କ ଅନୁଯାୟୀ ଔଷଧ ମୂଲ୍ୟରେ ସଂଶୋଧନ କରିବାକୁ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ)କୁ ଅନୁମତି ଦିଆଯାଇଛି। ତଦନୁଯାୟୀ ଏନପିପିଏ ପ୍ରତିବର୍ଷ ଏପ୍ରିଲ ୧ରୁ କିମ୍ବା ତା’ ପୂର୍ବରୁ ମେଡିସିନ ଦାମ୍ ଧାର୍ଯ୍ୟ କରିଥାଏ |

Comments are closed.