ବିଶ୍ବର ସବୁଠୁ ଲମ୍ବା ରିଭର୍ କ୍ରୁଜ୍ ‘ଏମଭି ଗଙ୍ଗା ବିଳାସ’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, କ୍ରୁଜରେ ରହିଛି ପଞ୍ଚ ତାରକା ହୋଟେଲ୍ ଭଳି ସୁବିଧା

ବାରାଣସୀ: ବିଶ୍ବର ସବୁଠୁ ଲମ୍ବା ରିଭର୍ କ୍ରୁଜ୍ ‘ଏମଭି ଗଙ୍ଗା ବିଳାସ୍ କ୍ରୁଜ୍’କୁ ଲୋକାର୍ପଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀରୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ବିଳାସପୂର୍ଣ୍ଣ କ୍ରୁଜ୍ ଏକ ଭାସମାନ ପଞ୍ଚ ତାରକା ହୋଟେଲ ସଦୃଶ । ବାରାଣସୀରୁ ଗଙ୍ଗା ନଦୀରେ ଯାତ୍ରା ଆରମ୍ଭ କରି ‘ଏମଭି ଗଙ୍ଗା ବିଳାସ୍ କ୍ରୁଜ୍’ ବାଂଲାଦେଶ ଦେଇ ଆସାମର ଡିବ୍ରୁଗଡରେ ପହଞ୍ଚିବ।

ପ୍ରାୟ ୫୧ ଦିନରେ ସମୁଦାୟ ୩,୨୦୦ କିଲୋମିଟ ଯାତ୍ରାରେ ‘ଗଙ୍ଗା ବିଳାସ୍ କ୍ରୁଜ୍’ ୫୦ଟି ପର୍ଯ୍ୟଟନ ସ୍ଥଳରେ ରହଣି କରିବ । ଏହି ୫୧ ଦିନ ଯାତ୍ରା ପ୍ୟାକେଜର ମୂଲ୍ୟ ୧୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। କୋଲକାତା ସ୍ଥିତ ‘ଅନ୍ତରା ଲଗଜରି ରିଭର୍ କ୍ରୁଜ୍’ ନାମକ ଏକ କମ୍ପାନୀ ହେଉଛି ଗଙ୍ଗା ବିଳାସ କ୍ରୁଜର ନିର୍ମାତା । ଏହାର ପ୍ରତିଷ୍ଠାତା ତଥା ସିଇଓ ରାଜ ସିଂଙ୍କ କହିବାନୁସାରେ, ଲଞ୍ଚ୍ ହେବା ପୂର୍ବରୁ ହିଁ ଏହି କ୍ରୁଜ୍ ପୂରା ବୁକ୍ ହୋଇସାରିଥିଲା ।

ଗଙ୍ଗା ବିଳାସ ରିଭର୍ କ୍ରୁଜର ଲଞ୍ଚ୍ ୨୦୨୦ରେ ହେବାର ଥିଲା, କିନ୍ତୁ କୋଭିଡ୍ ଯୋଗୁଁ ଏହା ସ୍ଥଗିତ ରହିଥିଲା | ଶେଷରେ ଏହାର ପ୍ରତୀକ୍ଷିତ ଯାତ୍ରା ଆରମ୍ଭ ହୋଇଛି | ପ୍ରଥମ ଯାତ୍ରାରେ ଗଙ୍ଗା ବିଳାସ କ୍ରୁଜରେ ୩୨ ପର୍ଯ୍ୟଟକ ଯିବେ | ଏହି ସବୁ ପର୍ଯ୍ୟଟକ ସ୍ୱିଜରଲ୍ୟାଣ୍ଡରୁ ଆସିଛନ୍ତି | ଭାରତରେ ନିର୍ମିତ ଏହି ରିଭର କ୍ରୁଜର ଲମ୍ବ ୬୨ ମିଟର ଏବଂ ଚଉଡ଼ା ୧୨ ମିଟର | କ୍ରୁଜରେ ତିନୋଟି ଡେକ୍ ଏବଂ ୧୮ଟି ସୁଟ୍ ଅଛି | ପ୍ରତ୍ୟେକ ସୁଟ୍ ର ଆକାର ୩୬୦-୩୮୦ ବର୍ଗଫୁଟ।

ଗଙ୍ଗା ବିଳାସ କ୍ରୁଜରେ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ହେବ | ଏଥିରେ ଓପନ ସ୍ପେସ୍, ବାଲକୋନି, ୪୦ଟି ସିଟ୍ ରେଷ୍ଟୁରାଣ୍ଟ ରୁମ୍ ଏବଂ ଷ୍ଟଡି ରୁମ୍, ଡାଇନିଂ ରୁମ୍, ମନୋରଞ୍ଜନ କକ୍ଷ, ସନ୍ ଡେକ୍, ଲାଉଞ୍ଜ ବାର୍, ସ୍ପା ଏବଂ ଫିଟନେସ୍ ସେଣ୍ଟର ମଧ୍ୟ ରହିଛି |

Comments are closed.