ଗୋଲଡେନ୍ ଗ୍ଲୋବ୍ସ ପୁରସ୍କାର ପାଇଁ ‘ଆରଆରଆର’ ଟିମକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ସମ୍ମାନଜନକ ଫିଲ୍ମ ପୁରସ୍କାର ଗୋଲଡେନ୍ ଗ୍ଲୋବ୍ସରେ ଏସ୍ଏସ୍ ରାଜାମୌଲିଙ୍କ ବ୍ଲକବଷ୍ଟର ଫିଲ୍ମ ‘ଆରଆରଆର’ କୁ ବଡ଼ ସଫଳତା ମିଳିଛି ​​| ଏହି ଫିଲ୍ମର ଗୀତ ‘ନାଟୁ ନାଟୁ’ ଶ୍ରେଷ୍ଠ ଗୀତ ଭାବେ ଗୋଲଡେନ୍ ଗ୍ଲୋବ୍ସ ପୁରସ୍କାର ଜିତିଛି | ଦ୍ବିତୀୟ ଓସ୍କାର ଭାବେ ବିବେଚିତ ଏହି ପୁରସ୍କାର ପାଇବାରେ ‘ଆରଆରଆର’ହେଉଛି ପ୍ରଥମ ଭାରତୀୟ ଫିଲ୍ମ ।

ଏହି ଐତିହାସିକ ସଫଳତା ପରେ ଭାରତୀୟ ଫିଲ୍ମ ଜଗତରେ ଖୁସିର ଲହରୀ ଖେଳିଯାଇଛି । ‘ଆରଆରଆର’ ଟିମକୁ ଅଭିନନ୍ଦନର ସୁଅ ଛୁଟିଛି ‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟ୍ କରି ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି । ସେ ପୁରା ଆରଆରଆର ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଶାହାରୁଖ ଖାନ, ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ବହୁ ସେଲିବ୍ରିଟି ‘ଆରଆରଆର’ର’ ଏହି ବଡ଼ ବିଜୟକୁ ନେଇ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି।

ବିଗ୍ ବି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି – ଗୋଲଡେନ୍ ଗ୍ଲୋବ ପୁରସ୍କାର ପାଇଁ ‘ଆରଆରଆର’ ଟିମକୁ ଅନେକ ଅନେକ ଅଭିନନ୍ଦନ | ‘ଆରଆରଆର’ ଏହି ପୁରସ୍କାର ପାଇଁଋ ଯୋଗ୍ୟ ଥିଲା |

ଓସ୍କାର ପୁରସ୍କାରପ୍ରାପ୍ତ ତଥା ପ୍ରଥମ ଭାରତୀୟ ଭାବେ ଗୋଲଡେନ୍ ଗ୍ଲୋବ୍ସ ପୁରସ୍କାର ଜିତିଥିବା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏଆର୍ ରହମାନ ମଧ୍ୟ ‘ଆରଆରଆର’ ଓ ଏହାର‌ କମ୍ପୋଜର୍ ଏମ୍ଏମ୍ କୀରବାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି – ଭାରତୀୟ ସିନେମା ପାଇଁ ଅବିଶ୍ୱସନୀୟ ସଫଳତା । ସମସ୍ତ ଭାରତୀୟ ତଥା ଆପଣଙ୍କ ପ୍ରଶଂସକଙ୍କ ତରଫରୁ ଏମ୍ଏମ୍ କୀରବାନୀ ଏବଂ ଆରଆରଆର ଟିମକୁ ଅଭିନନ୍ଦନ।

ଉଲ୍ଲେଖଯୋଗ୍ୟ ଯେ ହଲିଉଡ୍ ଫିଲ୍ମ ‘ସ୍ଲମ ଡଗ୍ ମିଲିୟେନାର’ର ‘ଜୟ ହୋ..’ ଗୀତ ପାଇଁ ଏଆର୍ ରହମାନଙ୍କୁ ଓସ୍କାର ପୁରସ୍କାର ସହ ଗୋଲଡେନ୍ ଗ୍ଲୋବ୍ସ ପୁରସ୍କାର ମିଳିଥିଲା ।

Comments are closed.