ଦେଶରେ ୫ଜି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ପ୍ରଥମ ପର୍ଯ୍ୟାୟରେ ୧୩ଟି ସହର ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ପୁଣେରେ ଉପଲବ୍ଧ ହେବ | ୨୦୨୩ ସୁଦ୍ଧା ସମଗ୍ର ଦେଶକୁ ୫ଜି ସେବା ପରିସରଭୁକ୍ତ କରିବା ଯୋଜନା ଅଛି | ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୨ରେ କାର୍ଯ୍ୟକ୍ରମ ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ସେବାକୁ ଆରମ୍ଭ କରିଛନ୍ତି ।

ଭାରତ ଉପରେ ୫ଜି ର ମୋଟ ଅର୍ଥନୈତିକ ପ୍ରଭାବ ୨୦୩୫ ସୁଦ୍ଧା ୪୫୦ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ହେବ ବୋଲି ଆକଳନ କରାଯାଇଛି। ୪-ଜି ଅପେକ୍ଷା ୫ଜି ନେଟୱାର୍କ ସ୍ପିଡ୍ ୧୦ ଗୁଣ ଅଧିକ ଓ ଏହା ନିରବଚ୍ଛିନ୍ନ କନେକ୍ଟିଭିଟି ପ୍ରଦାନ କରିଥାଏ । ୫ଜି ସେବା ନୂଆ ଅର୍ଥନୈତିକ ସୁଯୋଗ ଏବଂ ସାମାଜିକ ଲାଭ ଆଣିବ ବୋଲି ଆଶା କରାଯାଉଛି ।

ପଞ୍ଚମ ପିଢ଼ି ତଥା ୫ଜି ଟେଲିକମ୍ ସେବା ଦ୍ବାରା ମାତ୍ର କିଛି ସେକେଣ୍ଡ ମଧ୍ୟରେ ମୋବାଇଲ୍ କିମ୍ବା ଅନ୍ୟ ଡିଭାଇସରେ ଉଚ୍ଚମାନର ଲମ୍ବା ଭିଡିଓ କିମ୍ବା ଫିଲ୍ମ ଡାଉନଲୋଡ୍ କରି ହେବ | ଏହା ଏକ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପ୍ରାୟ ଏକ ଲକ୍ଷ ଡିଭାଇସକୁ ସପୋର୍ଟ କରିବ | ଏହି ସେବା ସୁପରଫାଷ୍ଟ ସ୍ପିଡ୍ (୪-ଜି ଠାରୁ ପ୍ରାୟ ୧୦ ଗୁଣ କ୍ଷୀପ୍ର) କନେକ୍ଟିଭିଟି ବିଳମ୍ବକୁ କାଟିବା ସହ ଏକା ସଙ୍ଗେ କୋଟି କୋଟି ଡିଭାଇସ୍ ମଧ୍ୟରେ ରିଅଲ୍ ଟାଇମ୍ ଡାଟା ସେୟାର କରିବାରେ ସକ୍ଷମ | ଏହା ୩-ଡି ହୋଲୋଗ୍ରାମ କଲିଂ, ମେଟାଭର୍ସର ଏକ ନୂଆ ଅନୁଭୂତି ପ୍ରଦାନ କରିବ |

୫ଜି ସେବାକୁ ଶୁଭାରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ମୋବାଇଲ କଂଗ୍ରେସ (ଆଇଏମସି) ର ଷଷ୍ଠ ସଂସ୍କରଣର ଉଦଘାଟନ କରିଥିଲେ। ଏଠାରେ ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ପିଏମ ମୋଦୀଙ୍କୁ ୫ଜି ସେବା ବିଷୟରେ ସୂଚନା ଦେଇଥିଲେ।

Comments are closed.