ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଜୁନ୍ ୮ରେ ତୃତୀୟ ଥର ଶପଥ ନେଇପାରନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମୋଦୀ ତାଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିବା ସହ ୧୭ତମ ଲୋକସଭା ଭଙ୍ଗ କରିଵା ପାଇଁ ସୁପାରିସ କରିଛନ୍ତିି। ପ୍ରଧାନମନ୍ତ୍ରୀଙ୍କ ସହ ପୂରା ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଛନ୍ତି। ମୋଦୀ କ୍ରମାଗତ ତୃତୀୟ ଥର ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି।

ଏହା ପୂର୍ବରୁ ବୁଧବାର ପୂର୍ବାହ୍ନ ୧୧.୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତାଙ୍କ ନେତୃତ୍ଵାଧୀନ ଦ୍ବିତୀୟ ପାଳି ସରକାରର ଶେଷ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୭ ତମ ଲୋକସଭା ଭଙ୍ଗ କରିବାକୁ ସୁପାରିଶ କରାଯାଇଥିଲା। ଏହା ପରେ ମୋଦୀ ରାଷ୍ଟ୍ରପତି ଭବନକୁ ଯାଇ ଇସ୍ତଫା ପତ୍ର ଦାଖଲ କରିଥିଲେ। ୧୭ ତମ ଲୋକସଭାର କାର୍ଯ୍ୟକାଳ ଜୁନ୍ ୧୬ରେ ଶେଷ ହେଉଛି।

ଏଥର ଆସନ ସଂଖ୍ୟା କମିଥିଲେ ମଧ୍ୟ ମୋଦୀଙ୍କ ନେତୃତ୍ଵରେ ଏନଡିଏ ଲଗାତାର ତୃତୀୟ ଥର ସରକାର ଗଢ଼ିବ । ଗତଥର ଏକାକୀ ୩୦୩ ଆସନ ହାତେଇଥିବା ବିଜେପି ଏଥର ୨୪୦ ଆସନରେ ସୀମିତ ରହିଯାଇଛି। ଏନଡିଏ ମେଣ୍ଟ କିନ୍ତୁ ୨୯୩ ଆସନ ସହ ମ୍ୟାଜିକ ନମ୍ବର (୨୭୨) ଟପିଥିବାରୁ ପୁଣି ସରକାର ଗଠନ କରିବା ସମ୍ଭାବନା ରହିଛି।

ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ୧୫ଟି ଆସନ ସହ ଏନଡିଏର ଦ୍ୱିତୀୟ ବୃହତ୍ତମ ଦଳ ହୋଇଥିବା ବେଳେ ନୀତୀଶ କୁମାରଙ୍କ ଜେଡିୟୁ ୧୨ଟି ଆସନ ସହ ଏନଡିଏରେ ତୃତୀୟ ବୃହତ୍ତମ ଦଳ ହୋଇପାରିଛି। ଏଥର ବିଜେପିକୁ ଏହି ଦୁଇ ଦଳର ସାହାରାରେ ରହିବାକୁ ପଡ଼ିବ।

ଅନ୍ୟପକ୍ଷରେ ୨୦୧୯ ତୁଳନାରେ ଏଥର କଂଗ୍ରେସର ଆସନ ସଂଖ୍ୟା ପ୍ରାୟତଃ ଦୁଇ ଗୁଣ ବଢ଼ିଛି । କଂଗ୍ରେସ ଚଳିତ ଥର ୯୯ ଆସନ ପାଇଥିବା ବେଳେ ପୂରା ‘ଇଣ୍ଡିଆ’ ମେଣ୍ଟ ୨୩୪ ଆସନ ହାତେଇଛନ୍ତି। ଇଣ୍ଡିଆ ମେଣ୍ଟ ପାଇଁ ଏହା ଏକ ନୈତିକ ବିଜୟ ବୋଲି କୁହାଯାଉଛି।

Comments are closed.