ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଶ୍ରମିକଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲ୍କିୟାରା ଟନେଲରୁ ୧୭ ଦିନ ପରେ ଉଦ୍ଧାର ୪୧ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥା ହୋଇଛନ୍ତି । ଶ୍ରମିକ ମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ସେମାନଙ୍କ ଧୈର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଶ୍ରମିକ ମାନଙ୍କୁ ମୋଦୀ କହିଥିଲେ, ଆପଣମାନେ ଟନେଲରୁ ସୁରକ୍ଷିତ ଉଦ୍ଧାର ହୋଇଥିବାରୁ ମୁଁ ଏତେ ଖୁସି ଯେ ଏହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବିନି। ଟନେଲ ଭିତରେ ୧୭ ଦିନ ରହିବା କମ୍ କଥା ନୁହେଁ । ଆପଣମାନେ ଏତେ‌ ଦିନ ଧରି ପ୍ରଶଂସନୀୟ ଧୈର୍ଯ୍ୟର ପରିଚୟ ଦେଇଥିଲେ ଓ ପରସ୍ପରର ମନୋବଳ ବଢାଇଥିଲେ । ମୋଦୀ କହିଥିଲେ ପାଇପ୍ ଦ୍ବାରା ଅକ୍ସିଜେନ୍ ଠାରୁ ଆରମ୍ଭ କରି ଖାଦ୍ୟପେୟ ସହ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଇଥିଲା ।

ଟନେଲ୍ ଭିତରେ ୧୭ ଦିନର‌ ନିଜ ଅନୁଭୂତି ସମ୍ପର୍କରେ ମଧ୍ୟ ଶ୍ରମିକ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ । ଜଣେ ଶ୍ରମିକ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ବିଭିନ୍ନ ରାଜ୍ୟରୁ ଆସିଥିଲେ ବି ସେମାନେ ଟନେଲ୍ ଭିତରେ ପରସ୍ପରର ମନୋବଳ ବଢ଼ାଇଥିଲେ ଓ ଭାଇ ଭାଇ ଭଳି ଏକାଠି ରହିଥିଲେ। ସେମାନେ ଫସିଥିବା ସ୍ଥାନ ପ୍ରାୟ ଅଢେଇ କିଲୋମିଟର ଲମ୍ବା ଥିଲା ।‌ ସେମାନେ ପ୍ରତ୍ୟହ ସେଠାରେ ଚାଲୁଥିଲେ ଓ ଯୋଗ ବି କରୁଥିଲେ । ଶ୍ରମିକମାନେ ଉଦ୍ଧାରକାରୀ ଦଳ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଉତ୍ତରାଖଣ୍ଡ ସିଲକ୍ୟାରା ଟନେଲରୁ ୪୧ ଶ୍ରମିକ ମଙ୍ଗଳବାର ଉଦ୍ଧାର ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଭାବପ୍ରବଣ ମୁହୂର୍ତ୍ତ ବୋଲି କହିଥିଲେ । ଅନେକ ସଂସ୍ଥା ଦ୍ୱାରା ପରିଚାଳିତ ଏହି ଉଦ୍ଧାର କାର୍ଯ୍ୟ ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି। ଉଦ୍ଧାରକାରୀ ଦଳ ମାନବିକତା ଓ ଟିମ୍ ଓ୍ବାର୍କର ଚମତ୍କାର ଉଦାହରଣ ସୃଷ୍ଟି କରିିଛନ୍ତି ବୋଲି କହିଥିଲେ ମୋଦୀ ।

ଟନେଲରୁ ଉଦ୍ଧାର ହେବା ପରେ ସମସ୍ତ ୪୧ ଶ୍ରମିକଙ୍କୁ ଆମ୍ବୁଲାନ୍ସରେ ଟନେଲଠାରୁ ୩୦ କିଲୋମିଟର ଦୂର ଚିନ୍ୟାଲିସୌର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଶ୍ରମିକ ମାନଙ୍କୁ ଯେଭଳି ଶୀଘ୍ର ଡାକ୍ତରଖାନା ପହଞ୍ଚିବେ ସେଥିପାଇଁ ପ୍ରଶାସନ ତରଫରୁ ଏକ ଗ୍ରୀନ କରିଡର ପ୍ରସ୍ତୁତ ହୋଇଥିଲା | ଶ୍ରମିକ ମାନଙ୍କ ପାଇଁ ଚିନ୍ୟାଲିସୌର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୧ ଅକ୍ସିଜେନ୍ ଯୁକ୍ତ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି | ଏଠାରେ ଶ୍ରମିକମାନେ ୨୪ ଘଣ୍ଟା ଡ଼ାକ୍ତରଙ୍କ ନିରୀକ୍ଷଣରେ ରହିବେ।

Comments are closed.