ଚୀନ୍ ଭାରିଆଣ୍ଟକୁ ନେଇ ବଢ଼ିଲା ଚିନ୍ତା, ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନରେ କରୋନା‌ ସଂକ୍ରମଣ ଅଣାୟତ୍ତ ହୋଇପଡିଥିବା ବେଳେ ଭାରତରେ ଏଭଳି ସ୍ଥିତି ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଆଲର୍ଟ ମୋଡକୁ ଆସିଛନ୍ତି। ଚୀନ୍ ସହ କିଛି ଦେଶରେ ପୁଣି କରୋନା ମାମଲା ବଢୁଥିବାରୁ ସମ୍ଭାବ୍ୟ ନୂଆ ଲହରର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ଦେଶରେ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ।

ଦେଶର ସବୁ ରାଜ୍ୟ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆଜି କୋଭିଡ୍-୧୯ ନେଇ ସମୀକ୍ଷା ବୈଠକ କରିବେ। ସୂଚନାଯୋଗ୍ୟ, ଚୀନରେ ସମ୍ପ୍ରତି ଆତଙ୍କ ଖେଳାଇଥିବା ଓମିକ୍ରନର ସବ୍ ଭାରିଆଣ୍ଟ ବିଏଫ୍.୭ର ତିନୋଟି ମାମଲା ଭାରତରେ ମଧ୍ୟ ମିଳିଛି । ଏହି କାରଣରୁ ସରକାରଙ୍କ ଚିନ୍ତା ବଢିଯାଇଛି ।

କୋଭିଡ୍-୧୯ର ସମ୍ଭାବ୍ୟ ନୂଆ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ବୁଧବାର ଏକ ସମୀକ୍ଷା ବୈଠକ କରିଥିଲେ। କୋଭିଡ୍ ନିୟମ ପାଳନ ପୂର୍ବକ ସେ ଲୋକମାନଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଏବଂ ଟୀକାକରଣ କରିବାକୁ କହିଥିଲେ। ସେ ଅଧିକାରୀମାନଙ୍କୁ ସଜାଗ ରହିବା ଏବଂ ମନିଟରିଂ ସିଷ୍ଟମକୁ ମଜବୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.