ପ୍ରିନସେସ୍ ଅଫ୍ ୱେଲ୍ସ କେଟ୍ ମିଡଲେଟନଙ୍କୁ କ୍ୟାନ୍ସର

ଲଣ୍ଡନ: ପ୍ରିନ୍ସ ଓ୍ବିଲିୟମଙ୍କ ପତ୍ନୀ ପ୍ରିନସେସ୍ ଅଫ୍ ୱେଲ୍ସ କେଟ୍ ମିଡଲେଟନ୍ କ୍ୟାନ୍ସରରେ ପୀଡ଼ିତ । ସେ ଖୋଦ୍ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଏହି ସୂଚନା ଦେଇଛନ୍ତି । ସମ୍ପ୍ରତି ତାଙ୍କ କେମୋଥେରାପି ଚିକିତ୍ସା ଚାଲିଛି। ଚିକିତ୍ସା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ତେବେ ସେ ଭଲ ଅଛନ୍ତି ଓ ଦିନକୁ ଦିନ ସୁସ୍ଥ ହେଉଛିନ୍ତି ବୋଲି କହିଛନ୍ତି କେଟ୍ ।

ପ୍ରିନସେସ୍ ଅଫ୍ ୱେଲ୍ସ ପକ୍ଷରୁ ଶୁକ୍ରବାର ଜାରି ଭିଡିଓ ବାର୍ତ୍ତାରେ କୁହାଯାଇଛି, ଜାନୁଆରୀରେ ଯେତେବେଳେ ସେ ପେଟ ଅସ୍ତ୍ରୋପଚାର କରିଥିଲେ, ସେତେବେଳେ ତାଙ୍କ କ୍ୟାନ୍ସର ନିଦାନ ହୋଇଥିଲା ।

ସେ କହିଛନ୍ତି, “ଅପରେସନ୍ ପରେ କରାଯାଇଥିବା ପରୀକ୍ଷଣରୁ ମୋ ଶରୀରରେ କ୍ୟାନ୍ସର ରୋଗ ଅଛି ବୋଲି ଜଣାପଡ଼ିଥିଲା । ପ୍ରିଭେନଟିଭ୍ କେମୋଥେରାପି ପାଇଁ ମୋ ମେଡିକାଲ ଟିମ୍ ମୋତେ ପରାମର୍ଶ ଦେଇଛି । ମୋର ଚିକିତ୍ସା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ।”

କେଟଙ୍କୁ କେଉଁ ପ୍ରକାର କ୍ୟାନ୍ସର ହୋଇଛି ତାହା ଜଣାପଡ଼ି ନାହିଁ । କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବେ ବୋଲି କେନ୍ସିଙ୍ଗଟନ୍ ପ୍ୟାଲେସ୍ ଆଶା ପ୍ରକାଶ କରିଛି।

କେଟଙ୍କ କେମୋଥେରାପି ଫେବୃଆରୀ ଶେଷ ଆଡକୁ ଆରମ୍ଭ ହୋଇଥିଲା | ଖ୍ରୀଷ୍ଟମାସ ପରଠାରୁ କେଟ୍ (୪୮)ଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନଥିଲା । ନିକଟରେ ସାମ୍ନାକୁ ଆସିଥିବା ଏକ ଭିଡ଼ିଓରେ ସେ ତାଙ୍କ ସ୍ୱାମୀ ପ୍ରିନ୍ସ ୱିଲିୟମଙ୍କ ସହିତ ୱିଣ୍ଡସର ବାସଭବନ ନିକଟରେ ଏକ ଦୋକାନରୁ ବାହାରୁଥିବା ନଜର ଆସିଥିଲେ ।

Comments are closed.