ସେଲଫି ପାଇଁ ମନା କରିବାରୁ ପୃଥ୍ବୀ ଶ’ଙ୍କ ଉପରେ ଆକ୍ରମଣ

ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ ପୁଣି ବିବାଦରେ । ସେଲଫିକୁ କେନ୍ଦ୍ର କରି ଜଣେ ମହିଳା ପ୍ରଶଂସକଙ୍କ ସହ ତାଙ୍କର ଝଗଡ଼ା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାଙ୍କ କାର୍ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଘଟଣା ଘଟିଥିଲା ।

ପୋଲିସର ସୂଚନାନୁସାରେ ଏହି ଘଟଣା ମୁମ୍ବାଇର ସାହାରା ଷ୍ଟାର ହୋଟେଲ ନିକଟରେ ଘଟିଥିଲା । ପୃଥ୍ବୀ ଶ’ ତାଙ୍କର ସାଙ୍ଗଙ୍କ ସହ ଡିନର୍ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଏହି ସମୟରେ ଶ’ଙ୍କ ଜଣେ ଫ୍ୟାନ୍ ଏବଂ ଜଣେ ମହିଳା ପ୍ରଶଂସକ ତାଙ୍କ ଟେବୁଲ ନିକଟକୁ ଆସିଥିଲେ। ମହିଳା ପ୍ରଶଂସକ ତାଙ୍କ ସହ କିଛି ସେଲଫି ନେଇଥିଲେ। କିଛି ସମୟ ପରେ ମହିଳା ଜଣକ ତାଙ୍କ ଆଉ କିଛି ସାଙ୍ଗଙ୍କ ସହ ଫେରି ଶ’ଙ୍କ ସହ ସେଲଫି ନେଇଥିଲେ । ଏଥିରେ ବିରକ୍ତ ହୋଇ ଶ’ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କୁ ଡାକି ଫ୍ୟାନ୍ ମାନଙ୍କୁ ସେଠାରୁ ହଟାଇବାକୁ କହିଥିଲେ। ରେଷ୍ଟୁରାଣ୍ଟର ମ୍ୟାନେଜର ସେଠାରୁ ପ୍ରଶଂସକମାନଙ୍କୁ ହଟାଇଥିଲେ। କିନ୍ତୁ ଏଥିରେ ରାଗିଯାଇ ଉଭୟ ଫ୍ୟାନ୍ ରେଷ୍ଟୁରାଣ୍ଟ ବାହାରେ ପୃଥ୍ବୀ ଶ’ଙ୍କୁ ଅପେକ୍ଷା କରିଥିଲେ।

ସେ ବାହାରକୁ ଆସିଵା ପରେ ଅଭିଯୁକ୍ତମାନେ ଶ’ଙ୍କ କାରକୁ ଏକ ସିଗ୍ନାଲ ପାଖରେ କାରକୁ ଅଟକାଇଥିଲେ । ବେସବଲ ବ୍ୟାଟ୍ ସହ ସେମାନେ ଶ’ଙ୍କ କାରର ଝରକା କାଚ ଭାଙ୍ଗି ଦେଇଥିଲେ | ସେମାନେ ଶ’ଙ୍କ ବନ୍ଧୁଙ୍କଠାରୁ ୫୦,୦୦୦ ଟଙ୍କା ମାଗିଥିଲେ। କାରର ଗ୍ଲାସ ଭାଙ୍ଗିବା ପରେ ମାମଲା ଆଗକୁ ବଢି ଯାଇଥିଲା। ଫ୍ୟାନ୍ ଏବଂ ଶ’ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଓସିୱାରା ପୋଲିସ ଶ’ଙ୍କୁ ଅନ୍ୟ ଏକ କାରରେ ଘରକୁ ପଠାଇଥିଲା ।

ଏହି ମାମଲାରେ ଓସିୱାରା ପୋଲିସ ବିଭିନ୍ନ ଦଫାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନଥିବା ଜଣାପଡିଛି।

Comments are closed.