କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ ହଟାଇବାକୁ ସ୍ଵାଧୀକାର କମିଟିର ସୁପାରିସ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ ନିରସ୍ତ୍ର କରିବା ସୁପାରିସକୁ ବୁଧବାର ସଂସଦର ସ୍ୱାଧିକାର କମିଟି ଅନୁମୋଦନ କରିଛି। ଏହି ପ୍ରସ୍ତାବ ଖୁବ ଶୀଘ୍ର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଯିବ।

ସଂସଦର ସ୍ୱାଧିକାର କମିଟି ବୁଧବାର ଚୌଧୁରୀଙ୍କୁ ଏହି ମାମଲାରେ ନିଜର ପକ୍ଷ ଉପସ୍ଥାପନ କରିବାକୁ ଡାକିଥିଲେ। ଚୌଧୁରୀ ବିଜେପି ସାଂସଦ ସୁନୀଲ ସିଂଙ୍କ ନେତୃତ୍ୱାଧୀନ ସ୍ୱାଧିକାର କମିଟିକୁ କହିଥିଲେ ଯେ, କାହାର ଭାବନାକୁ ଆଘାତ ଦେବା ପାଇଁ ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା । ଯଦି ସେ କାହାର ଭାବନାକୁ ଆଘାତ ଦେଇଥିବେ ତେବେ ସେ ଦୁଃଖିତ ।

ଚୌଧୁରୀ ନିଜ ପକ୍ଷ ରଖିବା ପରେ କମିଟି ଗୃହ ଅଧିବେଶନରୁ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ସୁପାରିସକୁ ଅନୁମୋଦନ କରିଛି। କମିଟି ଶୀଘ୍ର ଏହି ପ୍ରସ୍ତାବକୁ ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇବ।ଅଗଷ୍ଟ ୧୮ରେ ସ୍ୱାଧିକାର କମିଟି ଏହି ମାମଲାର ବିଚାର କରିଥିଲା ଓ ଅଗଷ୍ଟ ୩୦ରେ ଚୌଧୁରୀଙ୍କୁ ନିଜ ପକ୍ଷ ରଖିବାକୁ ଡାକିଥିଲା ।

ନିକଟରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ କିଛି ମନ୍ତବ୍ୟ ଏବଂ ତାଙ୍କ ଆଚରଣ ଯୋଗୁଁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅଗଷ୍ଟ ୧୦ରେ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଏହା ସହିତ ଏହି କଂଗ୍ରେସ ସଂସଦଙ୍କ ବିରୋଧରେ ମାମଲାର ଯାଞ୍ଚ ପାଇଁ ସ୍ୱାଧିକାର କମିଟିକୁ ପଠାଯାଇଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯାହାକୁ ବାଚନିକ ଭୋଟ୍ ଦ୍ୱାରା ଗୃହ ମଞ୍ଜୁରି ପ୍ରଦାନ କରିଥିଲା । ସେତେବେଳକୁ କଂଗ୍ରେସ ସଦସ୍ୟ ଏବଂ ଏହାର ସହଯୋଗୀ ଦଳମାନେ ଗୃହରୁ ପଳାଇ ଯାଇଥିଲେ । ଏହି ପ୍ରସ୍ତାବ ଅନୁଯାୟୀ, ସ୍ଵାଧୀକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ କଂଗ୍ରେସ ନେତା ଚୌଧୁରୀ ଗୃହ କାର୍ଯ୍ୟରୁ ନିଲମ୍ବିତ ରହିବେ।

Comments are closed.