ଲକ୍ଷ୍ମୀପୁର ହିଂସା: ନିଜ ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା, ଲକ୍ଷ୍ମୀପୁର ଯିବାକୁ ରାହୁଲଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ବାଦ୍ରା ନିଜ ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଓ ତାଙ୍କ ସହଯୋଗୀ ବେଲ୍ ବଣ୍ଡ୍ ଭରିବାକୁ ମନା କରି ଦେଇଥିବା ଜଣାପଡିଛି। ଗିରଫ ପରେ କଂଗ୍ରେସ ସାଧାରଣ ସମ୍ପାଦକ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆଇନ ଉଲ୍ଲଂଘନ କରି ୟୁପି ସରକାର ତାଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କୁ ଅଟକ ରଖିଛନ୍ତି। ଯେତେବେଳେ ମୋତେ ଗିରଫ କରାଯାଇଥିଲା ମୁଁ ସୀତାପୁର ଜିଲ୍ଲାରେ ଥିଲି । ମୁଁ ଜାଣିବାରେ ସୀତାପୁର ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇନଥିଲା। ଅକ୍ଟୋବର ୫ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ମୋତେ କେଉଁ କାରଣରୁ ଗିରଫ କରାଯାଇଥିଲା ଏବଂ ମୋ ବିରୋଧରେ କେଉଁ ଦଫା ଲାଗିଛି ତାହା କୁହାଯାଇନଥିଲା ବୋଲି ପ୍ରିୟଙ୍କା କହିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ହିଂସାରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ, କିନ୍ତୁ ସୀତାପୁରରେ ତାଙ୍କୁ ଅଟକାଇ ଦିଆଯାଇଥିଲା। ଧାରା ୧୪୪ ଉଲ୍ଲଂଘନ ଏବଂ ଶାନ୍ତିଭଙ୍ଗ ଅଭିଯୋଗରେ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପ୍ରିୟଙ୍କାଙ୍କ ସହ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡା ଏବଂ ୟୁପି କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଥିଲା।

ସେପଟେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ଲକ୍ଷ୍ମୀପୁର ଖେରୀ ଗସ୍ତ କରିବା ସମ୍ଭାବନା ରହିଛି। ସୂଚନାନୁସାରେ, ଲକ୍ଷ୍ମୀପର ଖେରୀରେ ମୃତ କୃଷକ ବିକ୍ଷୋଭକାରୀଙ୍କ ପରିବାରକୁ ଭେଟିବା ପାଇଁ କଂଗ୍ରେସ ୟୁପି ସରକାରଙ୍କଠାରୁ ଅନୁମତି ମାଗିଥିଲେ। କିନ୍ତୁ ଉତ୍ତରପ୍ରଦେଶ ସରକାର ତାଙ୍କୁ ଅନୁମତି ଦେଇନାହାନ୍ତି। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି।

Comments are closed.