କେମିତି ନିର୍ବାଚିତ ହୁଅନ୍ତି ଭାରତର ରାଷ୍ଟ୍ରପତି

ନୂଆଦିଲ୍ଲୀ:ଆଜି ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ରାଇସିନା ରେସରେ ଅଛନ୍ତି ଏନଡିଏ ପ୍ରାର୍ଥୀ ତଥା ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା । ତେବେ ସଂଖ୍ୟା ଦୃଷ୍ଟିରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଥୟ ମନେ କରାଯାଉଛି । ଆଜି ଭୋଟ ଗ୍ରହଣ ପରେ ଜୁଲାଇ ୨୧ ରେ ନିର୍ବାଚନ ଫଳ ଘୋଷଣା ହେବ | ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି। ଜୁଲାଇ ୨୫ରେ ଦେଶର ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ଯେକୌଣସି ଭାରତୀୟ ନାଗରିକ, ଯାହାଙ୍କ ବୟସ ୩୫ ବର୍ଷ ବା ତଦୂର୍ଦ୍ଧ୍ବ ହୋଇଥିବ ଏବଂ ସେ ଲୋକସଭା ବା ନିମ୍ନ ସଦନର ସଦସ୍ୟ ହେବା ପାଇଁ ଯାହାଙ୍କର ଯୋଗ୍ୟତା ଥିବ, ଯିଏ କୌଣସି ଲାଭଜନକ ବ୍ୟବସାୟରେ (ଅଫିସ୍ ଅଫ୍ ପ୍ରଫିଟ୍) ଜଡ଼ିତ ନଥିବେ ସେ ରାଷ୍ଟ୍ରପତି ହୋଇପାରିବେ।

ସମ୍ବିଧାନର ଧାରା ୫୫ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ଵ (ଟ୍ରାନ୍ସଫରେବ୍‌ଲ ଭୋଟ ସିଷ୍ଟମ) ତଥା ଗୁପ୍ତ ଭୋଟ ଜରିଆରେ ଭୋଟିଂ ହୋଇଥାଏ। ରାଷ୍ଟ୍ରପତିଙ୍କୁ ସଂସଦର ଉଭୟ ଗୃହ (ଲୋକସଭା ଏବଂ ରାଜ୍ୟସଭା) ଏବଂ ରାଜ୍ୟ ବିଧାନସଭାର ସଦସ୍ୟମାନେ ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ନିର୍ବାଚିତ କରନ୍ତି। ଏହାଛଡ଼ା ଦିଲ୍ଲୀ ଏବଂ ପୁଡୁଚେରୀର କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚିତ ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିପାରିବେ ।

ଏଥର ରାଷ୍ଟ୍ରପତି ନିର୍ବାଚନ ପାଇଁ ୪୮୦୯ ଜଣ ମତଦାତା ଭୋଟ ଦେବେ । ଏଥିମଧ୍ୟରେ ୭୭୬ ଜଣ ସାଂସଦ ଓ ୪୦୩୩ ଜଣ ବିଧାୟକ ଅଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ରାଜନୈତିକ ଦଳ ହ୍ବିପ ଜାରି କରିପାରିବେ ନାହିଁ ।

ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ ରୋକିବା ବ୍ୟବସ୍ଥା ନାହିଁ, ଏଠାରେ ଦଳ ବଦଳ ଆଇନ (ଆଣ୍ଟି ଡିଫେକ୍ସନ ଲ’) ଲାଗୁ ହୁଏ ନାହିଁ । ଏମପି ଓ ବିଧାୟକମାନଙ୍କ ଭୋଟର ନିର୍ଦ୍ଦିଷ୍ଟ ମୂଲ୍ୟ ରହିଛି। ପ୍ରତ୍ୟେକ ବିଧାୟକଙ୍କ ଭୋଟର ମୂଲ୍ୟ ତାଙ୍କ ରାଜ୍ୟର ଜନସଂଖ୍ୟା (୧୯୭୧ ଜନଗଣନା ଅନୁଯାୟୀ) ଏବଂ ବିଧାୟକଙ୍କ ସଂଖ୍ୟା ଭିତ୍ତିରେ ନିର୍ଦ୍ଧାରିତ ହୋଇଥାଏ। ଉଦାହରଣସ୍ୱରୂପ ଉତ୍ତରପ୍ରଦେଶର ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ୨୦୮ ହୋଇଥିବା ବେଳେ ସିକିମର ୭୮ ୟୁପିର ସମସ୍ତ ବିଧାୟକଙ୍କ ଭୋଟ୍ ମୂଲ୍ୟ ୮୩୮୨୪ ଥିବା ବେଳେ ସିକିମରେ ସମସ୍ତ ବିଧାୟକଙ୍କ ଭୋଟ୍ ମୂଲ୍ୟ ହେଉଛି ୨୨୪। ଦେଶ ସାରା ସବୁ ବିଧାୟକଙ୍କ ଭୋଟ ମୂଲ୍ୟର ସମଷ୍ଟି ସହିତ ଲୋକସଭା ଓ ରାଜ୍ୟସଭାର ସାଂସଦଙ୍କ ମୋଟ ସଂଖ୍ୟା ଦ୍ଵାରା ଭାଗ କରାଯାଏ ଏବଂ ଏହି ପ୍ରକ୍ରିୟାରେ ସାଂସଦଙ୍କ ଭୋଟ୍ ମୂଲ୍ୟ ନିର୍ଦ୍ଧାରିତ ହୁଏ । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ହେଉଛି ୭୦୦।

ଏବେ ଶାସକ ଏନ୍‌ଡିଏ ହାତରେ ଅଛନ୍ତି ୪୪୦ ଏମପି ଅଛନ୍ତି । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସର ୩୬ ଏମପି ଛଡ଼ା ଉପା ହାତରେ ଅଛନ୍ତି ୧୮୦ ଏମପି। ମୋଟ ୧୦,୮୬,୪୩୧ ଭୋଟ ମୂଲ୍ୟରୁ ଏନ୍‌ଡିଏ ହାତରେ ଅଛି ପ୍ରାୟ ୫,୩୫,୦୦୦ ମୂଲ୍ୟର ଭୋଟ୍ । ଏଥିରେ ସହଯୋଗୀ ଦଳଗୁଡ଼ିକର ୩,୦୮,୦୦୦ ଭୋଟ ମୂଲ୍ୟ ମଧ୍ୟ ସାମିଲ। ୱାଇଏସ୍‌ସିପି, ବିଜେଡି, ଏଆଇଏଡିଏମ୍‌କେ, ଅକାଳି ଦଳ, ଜେଏମ୍ଏମ୍, ଶିବସେନା ପରି କେତେକ ଆଞ୍ଚଳିକ ଦଳ ଏବଂ କିଛି ସ୍ବାଧୀନ ସାଂସଦ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେ ବୋଲି ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟ ଥୟ ବୋଲି କୁହାଯାଇପାରିବ।

Comments are closed.