ହିଟ୍ ଆଣ୍ଡ ରନ୍ ମାମଲା: ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର ବିଳମ୍ବିତ ରାତି ତଥା ନୂଆବର୍ଷ ଦିନ ଘଟିଛି ହୃଦୟ ବିଦାରକ ଘଟଣା । ଜଣେ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେବା ପରେ ଏକ କାର୍ ପ୍ରାୟ ଚାରି କିଲୋମିଟର ଯାଏ ଯୁବତୀଙ୍କୁ ଘୋଷାଡି ନେଇଥିଲା । ଫଳରେ ଯୁବତୀ ଜଣଙ୍କର ମୃତ୍ୟୁ ହୋଇଥିଲା । ସିସିଟିଭି ଫୁଟେଜରେ ଚଳନ୍ତା କାର୍‌ ତଳେ ଯୁବତୀଙ୍କ ମୃତଦେହ ଓହଳି ରହିଥିବା ଦେଖିବାକୁ ମିଳୁଛି ‌।

ଏହି ଘଟଣା ପରେ ଜାତୀୟ ରାଜଧାନୀରେ ଉତ୍ତେଜନା ପ୍ରକାଶ ପାଇଛି । ସୋମବାର ହଜାର ହଜାର ଲୋକ ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ସୁଲତାନପୁରୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ମାନଙ୍କର ରାଜନୈତିକ ଲିଙ୍କ୍ ରହିଥିବାରୁ ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହୁଛି ।

ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଓ ଯୁବତୀଙ୍କ ନଗ୍ନ ମୃତଦେହ ଫଟୋ ଭାଇରାଲ ପରେ ଏହା ଏକ ବଳାତ୍କାର ଓ ହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଛି ।

ଦିଲ୍ଲୀର ସ୍ୱତନ୍ତ୍ର ସିପି (ଆଇନ ଶୃଙ୍ଖଳା) ସାଗର ପ୍ରୀତ୍ ହୁଡା କହିଛନ୍ତି ଯେ ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି। ଏଥି ସହିତ ଫରେନସିକ୍ ଟିମର ସହାୟତା ମଧ୍ୟ ନିଆଯାଉଛି। ଏହି ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି। ପୋଲିସ ପୀଡିତାଙ୍କ ପରିବାର ସହ ଯୋଗାଯୋଗରେ ଅଛି।

ସୁଲତାନପୁରୀ ଥାନା ଅଧୀନ କାଞ୍ଝାଓ୍ବାଲାରେ ଘଟିଥିବା ଏହି ଘଟଣା ପରେ କାରରେ ଥିବା ୫ ଜଣ ଯୁବକଙ୍କୁ ଗିରଫ କରାଯିବା ପରେ ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି। ଅନ୍ୟପକ୍ଷରେ ମୃତ ଯୁବତୀଙ୍କ ପରିବାର ସଦସ୍ୟ ଏହା ଏକ ବଳାତ୍କାର ଓ ହତ୍ୟା ଘଟଣା ବୋଲି ଆଶଙ୍କା କରିଛନ୍ତି । କାରଣ ଯୁବତୀଙ୍କ ମୃତଦେହ ନଗ୍ନ ଅବସ୍ଥାରେ ମିଳିଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନା ଏହି ବର୍ବର ମାମଲାରେ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ ନଁଇଯାଇଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହାକୁ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି। ଦିଲ୍ଲୀ କମିଶନ ମହିଳା ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଏହି ମାମଲାରେ ଦିଲ୍ଲୀ ପୋଲିସକୁ ସମନ୍ ଜାରି କରିଛନ୍ତି ।

ଦିଲ୍ଲୀର କାଞ୍ଝାଓ୍ବାଲା ଅଞ୍ଚଳରେ ନୂଆବର୍ଷ ପାର୍ଟି କରି କିଛି ଯୁବକ ମାରୁତି ବଲେନୋରେ ଫେରୁଥିବା ବେଳେ ବିପରୀତ ଦିଗରୁ ସ୍କୁଟିରେ ଆସୁଥିବା ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା । ଏହାପରେ ଯୁବତୀଙ୍କୁ ପ୍ରାୟ ଚାରି କିଲୋମିଟର ଯାଏ ଘୋଷାରି ନେଇଥିଲା କାର୍ । ଆଉଟର୍ ଦିଲ୍ଲୀ ଡିଏସପି ହରେନ୍ଦ୍ର ସିଂହଙ୍କ କହିବା ଅନୁସାରେ କାର୍ ତଳେ ଲଟକି ଘୋଷାଡି ହେବା ଯୋଗୁଁ ଯୁବତୀଙ୍କ ଅନେକ ହାଡ଼ ଭାଙ୍ଗି ଯାଇଥିଲା। ଏହାଛଡ଼ା ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଘୋଷାଡି ହେବା ଯୋଗୁଁ ତାଙ୍କ ପୋଷାକ ଛିଣ୍ଡି ଯାଇଥିଲା । ତେଣୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ବିନା ପୋଷାକରେ ମିଳିଥିଲା | ଏହି ମାମଲାରେ ପୋଲିସ ବୋଲେନୋ କାରକୁ ମଧ୍ୟ ଜବତ କରିଛି। ଯୁବକମାନଙ୍କ ବିରୋଧରେ ଉଦ୍ଦେଶ୍ୟ ବିହୀନ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଛି ବୋଲି ପୋଲିସ କହିଛି ।

Comments are closed.