କୁସ୍ତିଯୋଦ୍ଧାଙ୍କ ବଡ଼ ଘୋଷଣା, ଗଙ୍ଗାରେ ବିସର୍ଜନ କରିବେ ନିଜ ପଦକ

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ବିଜେପି ସାଂସଦ ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାମାନେ ବଡ଼ ଘୋଷଣା କରିଛନ୍ତି । ସେମାନଙ୍କ ପ୍ରତି ସରକାରଙ୍କ ରୂକ୍ଷ ବ୍ୟବହାର ପ୍ରତିବାଦରେ ଆଜି ସନ୍ଧ୍ୟାରେ ହରିଦ୍ୱାର ଯାଇ ଗଙ୍ଗାରେ ସେମାନେ ନିଜ ପଦକ ବିସର୍ଜନ କରିବେ । ରେସଲର ବଜରଙ୍ଗ ପୁନିଆ ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି।

କୁସ୍ତିଯୋଦ୍ଧାମାନେ ସୋସିଆଲ ମିଡିଆରେ ଏକ ବିବୃତିରେ କହିଛନ୍ତି, ପଦକ ଆମର ଜୀବନ ଏବଂ ଆତ୍ମା, ଗଙ୍ଗାରେ ଏହାକୁ ବିସର୍ଜନ କରିବା ପରେ ଆମର ବଞ୍ଚିବାର କୌଣସି ମାନେ ରହିବ ନାହିଁ । ତେଣୁ ଆମେ ଇଣ୍ଡିଆ ଗେଟରେ ଆମରଣ ଅନଶନରେ ବସିବୁ ।

ଆମେ ନିଜ ପଦକ ଗଙ୍ଗାରେ ଭସାଇବୁ । କାରଣ ସେ ଗଙ୍ଗା ମା … ଗଙ୍ଗା ମା’ ଯେମିତି ପବିତ୍ର, ସେମିତି ଆମେ ପରିଶ୍ରମ କରି ଏହି ପଦକ ଜିତିଥିଲୁ । ଏହି ପଦକଗୁଡିକ ସମଗ୍ର ଦେଶ ପାଇଁ ପବିତ୍ର ଏବଂ ଏହି ପବିତ୍ର ପଦକ ରଖିବାକୁ ଉପଯୁକ୍ତ ସ୍ଥାନ କେବଳ ପବିତ୍ର
ଗଙ୍ଗା ମାତା ହିଁ ହୋଇପାରନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମେ ୨୮ରେ ନୂଆ ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଥିବା ବେଳେ କୁସ୍ତିଯୋଦ୍ଧା ମାନଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଥିଲା । କୁସ୍ତିଯୋଦ୍ଧାଙ୍କ ସହ ପୋଲିସର ଧସ୍ତାଧସ୍ତି ମଧ୍ୟ ହୋଇଥିଲା ‌। ସେହି ଦିନ ବିଳମ୍ବିତ ରାତିରେ ସାକ୍ଷୀ ମଲିକ, ବିନେଶ ଫୋଗାଟ ଏବଂ ସଂଗୀତା ଫୋଗାଟଙ୍କ ସମେତ ସବୁ ମହିଳା କୁସ୍ତିଯୋଦ୍ଧାଙ୍କୁ ଛାଡ଼ି ଦିଆଯାଇଥିଲା ‌‌। ହେଲେ ତା’ ପରଦିନ ପୋଲିସ କୁସ୍ତିଯୋଦ୍ଧାଙ୍କ ବିରୋଧରେ ବିଭିନ୍ନ ଦଫାରେ ଏତଲା ରୁଜୁ କରିଥିଲା । ଏହାଛଡ଼ା ସେମାନଙ୍କୁ ଜନ୍ତର ମନ୍ତରରୁ ହଟାଇ ଦିଆଯାଇଥିଲା ।

Comments are closed.