ପୁଣେ ପୋର୍ସ କାର୍ ଦୁର୍ଘଟଣା: ନାବାଳକର ମାଆଙ୍କୁ ବି ବାନ୍ଧିଲା ପୋଲିସ, ପୁଅ ବଦଳରେ ନିଜ ରକ୍ତ ନମୁନା ଦେଇଥିଲେ

ପୁଣେ: ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତର ମାଆଙ୍କୁ ବି ଗିରଫ କରିଛି ପୋଲିସ। ନାବାଳକର ମାଆ ଶିବାନୀ ଅଗ୍ରୱାଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ (ଜୁନ୍ ୨) ଗିରଫ କରାଯାଇଥିବା ପୁଣେ ପୋଲିସ କମିଶନର ଅମିତେଶ କୁମାର ସୂଚନା ଦେଇଛନ୍ତି। ନାବାଳକର ମା’ ତାଙ୍କ ପୁଅର ରକ୍ତ ନମୁନା ବଦଳାଇବା ପାଇଁ ନିଜ ରକ୍ତ ନମୁନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ସେ ଡାକ୍ତରମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି।

ଗତ କିଛି ଦିନ ଧରି ଶିବାନୀ ଅଗ୍ରୱାଲ ଫେରାର ଥିଲେ। ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ଦୁର୍ଘଟଣା ବେଳେ ତାଙ୍କ ପୁଅ ମଦ ପିଇଥିବା କଥା ଲୁଚାଇବା ପାଇଁ ତା’ର ରକ୍ତ ନମୁନାକୁ ଶିବାନୀ ନିଜ ରକ୍ତ ନମୁନା ସହ ବଦଳାଇ ଦେଇଥିଲେ ବୋଲି ପୋଲିସ କହିଛି। ସେପଟେ ପୁଣେ ପୋଲିସର କ୍ରାଇମ ବ୍ରାଞ୍ଚ ଆଜି ନାବାଳକକୁ ଜେରା କରିବ। ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅନୁମତି ଦେଇଛନ୍ତି।

ମେ ୧୯ ବିଳମ୍ବିତ ରାତିରେ ୧୭ ବର୍ଷୀୟ ନାବାଳକ ନିଜ‌ ସାଙ୍ଗ ମାନଙ୍କ ସହ ପାର୍ଟି କରିବା ପରେ ଲଗଜରୀ ପୋର୍ସ କାର୍ ଡ଼୍ରାଇଭିଂ କରି ଯାଉଥିବା ବେଳେ କଲ୍ୟାଣୀ ନଗର ଅଞ୍ଚଳରେ ବାଇକ୍ ଆରୋହୀ ଦୁଇ ସଫ୍ଟୱେର ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ସମୟରେ ନାବାଳକ ଅଭିଯୁକ୍ତ ମଦ ପିଇଥିଲା ଓ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ କାର ଚଳାଉଥିଲା ।

ଏହି ମାମଲାରେ ଅଭିଯୁକ୍ତଙ୍କ ମାଆ ସହ ଏଯାବତ୍ ୧୧ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ନାବାଳକର ବାପାଙ୍କୁ ମେ ୨୧ ଏବଂ ପରେ ଜେଜେବାପାଙ୍କୁ ମେ ୨୫ରେ ଗିରଫ କରିଥିଲା ପୋଲିସ। ଏହାଛଡ଼ା ରକ୍ତ ନମୁନା ବଦଳାଇଥିବା ସସୁନ୍ ହସ୍ପିଟାଲର ଦୁଇଜଣ ଡାକ୍ତର, ଜଣେ ପିଅନ ମଧ୍ୟ ବନ୍ଧା ହୋଇଥିଲେ। ଦୁଇଟି ମଦ‌‌ ବାରର ମାଲିକ-ମ୍ୟାନେଜରଙ୍କୁ ବି ଗିରଫ କରାଯାଇଥିଲା । ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି) ନାବାଳକକୁ ଜୁନ୍ ୫ ପର୍ଯ୍ୟନ୍ତ ବାଳ ସୁଧାର ଗୃହକୁ ପଠାଇଛି।

ଅନ୍ୟପକ୍ଷରେ ପୁଣେ କୋର୍ଟ ଶୁକ୍ରବାର (୩୧ ମଇ) ନାବାଳକର ବାପା ବିଶାଲ ଅଗ୍ରୱାଲ ଏବଂ ଜେଜେ ସୁରେନ୍ଦ୍ର ଅଗ୍ରୱାଲଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇଥିଲେ। ଦୁହେଁ ନିଜ ଘରୋଇ ଡ୍ରାଇଭରକୁ ଅପହରଣ କରି ଦୁର୍ଘଟଣାର ଦୋଷ ନିଜ ଉପରକୁ ନେବାକୁ ଚାପ ପକାଉଥିଲେ ବୋଲି ଅଭିଯୋଗ ହୋଇଛି।

Comments are closed.