ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ବଡ଼ ନିଷ୍ପତ୍ତି, ବିଧାୟକଙ୍କୁ ମିଳିବ କେବଳ ଗୋଟିଏ କାର୍ଯ୍ୟକାଳର ପେନସନ୍ | News Room Odisha

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ବଡ଼ ନିଷ୍ପତ୍ତି, ବିଧାୟକଙ୍କୁ ମିଳିବ କେବଳ ଗୋଟିଏ କାର୍ଯ୍ୟକାଳର ପେନସନ୍

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମାନ୍ ପଞ୍ଜାବରେ ‘ଏକ ବିଧାୟକ, ଏକ ପେନସନ୍’ ନୀତି ଲାଗୁ କରିବାକୁ ଘୋଷଣା କରିଛନ୍ତି । ଏହା ଅଧୀନରେ ବିଧାୟକଙ୍କ ପେନ୍‌ସନ୍‌ ନିୟମରେ ପରିବର୍ତ୍ତନ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବରେ ଜଣେ ବ୍ୟକ୍ତି ଯେତେ ଥର ବିଧାୟକ ହେଉଥିଲେ, ତାଙ୍କୁ ସେହି ଅନୁସାରେ ପେନସନ୍ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଜଣେ ବ୍ୟକ୍ତି ଯେତେଥର ବିଧାୟକ ହୁଅନ୍ତୁ ନା କାହିଁକି, ତାଙ୍କୁ କେବଳ ଥରେ ଅବା ଗୋଟିଏ କାର୍ଯ୍ୟକାଳ ପାଇଁ ପେନସନ୍ ମିଳିବ | ଏହାଦ୍ବାରା ସଞ୍ଚିତ ଅର୍ଥ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ ବୋଲି ମାନ୍ କହିଛନ୍ତି ।

ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବଡ଼ ବିଜୟ ପରେ ମାନ୍ ରାଜ୍ୟର ମଙ୍ଗ ଧରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ମାନ୍ ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ସେ ପଞ୍ଜାବ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ପ୍ରତିବର୍ଷ ୫୦,୦୦୦ କୋଟି ଲେଖାଏଁ ପଞ୍ଜାବକୁ ଆସନ୍ତା ଦୁଇ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କା ଦରକାର। ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ପରେ ପଞ୍ଜାବକୁ ସମସ୍ତ ସାହାଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଜାତୀୟ ସୁରକ୍ଷା ପାଇଁ ପଞ୍ଜାବ ସରକାରଙ୍କୁ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ ।