ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ଗିରଫ ୮୩ ଲୋକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ପଞ୍ଜାବ ସରକାର

ନୂଆଦିଲ୍ଲୀ: ଜାନୁଆରୀରେ ଗଣତନ୍ତ୍ର ଦିବସରେ ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କ ପାଇଁ ପଞ୍ଜାବ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି ଯେ ଗିରଫ ହୋଇଥିବା ୮୩ ଜଣ ବିକ୍ଷୋଭକାରୀଙ୍କୁ ୨ ଲକ୍ଷ ଟଙ୍କା ଦିଆଯିବ। ତେବେ ପଞ୍ଜାବ ସରକାରଙ୍କ ଏହି ପଦକ୍ଷେପ ବିବାଦ ସୃଷ୍ଟି କରିବାର ସମ୍ଭାବନା ରହିଛି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏକ ଟୁଇଟରେ ନିଶ୍ଚିତ କରିଛନ୍ତି ଯେ ଦିଲ୍ଲୀ ପୋଲିସ ଗିରଫ କରିଥିବା ଲୋକଙ୍କୁ ତାଙ୍କ ସରକାର କ୍ଷତିପୂରଣ ଦେବେ। ସେ କହିଛନ୍ତି, ତିନୋଟି କଳା କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ମୋର ସରକାରଙ୍କ ଆଭିମୁଖ୍ୟକୁ ଦୋହରାଇବା ପୂର୍ବକ ଆମେ ୨୬ ଜାନୁଆରୀ ୨୦୨୧ରେ ଜାତୀୟ ରାଜଧାନୀରେ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ୮୩ ଜଣଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବୁ। ”

ଚଳିତ ବର୍ଷ ଜାନୁଆରୀ ୨୬ରେ ଦିଲ୍ଲୀ ପୋଲିସ ଏବଂ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ପରେ କିଛି ମାର୍ଗରେ ଚାଷୀଙ୍କ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦିଆଯାଇଥିଲା। ଏହି ନାଲି ବେଳେ ବ୍ୟାପକ ହିଂସା ଘଟିଥିଲା । ଅନେକ ସ୍ଥାନରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଐତିହାସିକ ଲାଲ୍ କିଲ୍ଲାରେ କିଛି ବିକ୍ଷୋଭକାରୀ ଭଙ୍ଗାରୁଜା କରିଥିଲେ ଏବଂ ଏଠାରେ ଶିଖ୍ ମାନଙ୍କ ଧାର୍ମିକ ଝଣ୍ଡା ଲଗାଇଥିଲେ । ପୋଲିସ କହିଥିଲା ଯେ ବିକ୍ଷୋଭକାରୀମାନେ ପୂର୍ବ ନିର୍ଦ୍ଧାରିତ ରୁଟ୍ ରେ ନ ଯାଇ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିଥିଲେ ।

Comments are closed.