ନେପାଳରେ ପୁଣି ‘ପ୍ରଚଣ୍ଡ’ ରାଜ, ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍ପ କମଲ ଦହଲ୍

କାଠମାଣ୍ଡୁ: ନେପାଳରେ ପୁଣି ‘ପ୍ରଚଣ୍ଡ’ ରାଜ । ନେପାଳର ୧୩ତମ ପ୍ରଧାନମନ୍ତ୍ରୀ ଭାବେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଆଜି (ଡିସେମ୍ବର ୨୬) ଶପଥ ଗ୍ରହଣ କରିବେ। ‘ପ୍ରଚଣ୍ଡ’ ତୃତୀୟ ଥର ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ୬ଟି ଦଳର ମିଳିତ ମେଣ୍ଟ ଦହଲଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ନୂଆ ମିଳିତ ମେଣ୍ଟରେ ସିପିଏନ୍-ୟୁଏମ୍ଏଲ୍ ର ୭୮ ସାଂସଦ, ମାଓବାଦୀ କେନ୍ଦ୍ରର ୩୨, ରାଷ୍ଟ୍ରିୟ ସ୍ବତନ୍ତ୍ର ପାର୍ଟିର ୨୦, ରାଷ୍ଟ୍ରିୟ ପ୍ରଜାତନ୍ତ୍ର ପାର୍ଟିର ୧୪ ଜଣ, ଜନ ସମାଜ ପାର୍ଟିରୁ ୧୨, ଜନମତ ପାର୍ଟିର ୬, ନାଗରିକ ମୁକ୍ତି ପାର୍ଟିର ଚାରିଜଣ ସାଂସଦ ସହ ତିନି ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ପୁଷ୍ପାଙ୍କ ପ୍ରତି ରହିଛି | କମଲ ଦହଲ ପ୍ରଚଣ୍ଡ ବର୍ତ୍ତମାନ ସଂସଦର ୧୬୯ ଜଣ ସଦସ୍ୟଙ୍କ ସମର୍ଥନ ହାସଲ କରିଛନ୍ତି। ଅର୍ଥାତ୍ ନେପାଳ ସରକାର ବର୍ତ୍ତମାନ ୬ ଦଳ ମିଳିତ ମେଣ୍ଟକୁ ନେଇ ଚାଲିବ ।

ସିପିଏନ୍-ମାଓବାଦୀ କେନ୍ଦ୍ରର ମୁଖ୍ୟ ପୁଷ୍ପା କମଲ ଦହଲ ୧୬୮ ସାଂସଦଙ୍କ ସମର୍ଥନ ହାସଲ କରିଛନ୍ତି, ଯାହା ମ୍ୟାଜିକ ନମ୍ବର ୧୩୮ରୁ ଅଧିକ। ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ପ୍ରଚଣ୍ଡ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ । ଏହା ପରେ, ଓଲିଙ୍କ ପାର୍ଟି ସିପିଏନ୍-ୟୁଏମ୍ଏଲ୍ କ୍ଷମତା ଗ୍ରହଣ କରିବ |

ପ୍ରକାଶଯୋଗ୍ୟ, ଦୁଇ ବର୍ଷ ପୂର୍ବେ ପ୍ରଚଣ୍ଡ ଓଲି ସରକାରଙ୍କ ଅଂଶ ଥିଲେ। ଭାରତ ସହିତ କାଲାପାନି ଏବଂ ଲିପୁଲେଖ ସୀମା ବିବାଦ ପରେ ତାଙ୍କ ଦଳର ୭ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ ଓ ଓଲିଙ୍କୁ ମଧ୍ୟ ଚୌକି ଛାଡିବାକୁ ବାଧ୍ୟ କରିଥିଲେ। ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବଂ କେପି ଶର୍ମା ଓଲି ଦୁହେଁ କମ୍ୟୁନିଷ୍ଟ ପାର୍ଟିର ଅଟନ୍ତି ଏବଂ ଚୀନ୍‌ର ଅତି ନିକଟତର ବୋଲି ବିବେଚନା କରାଯାଏ । ଏହି କାରଣରୁ ନେପାଳ ସରକାର ଏଥର ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ।

Comments are closed.