ତୁର୍କୀ-ସିରିଆରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଲା, ତୁର୍କୀରେ ପୁଣି ଭୂକମ୍ପ ଝଟକା 

ଅଙ୍କାରା: ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩୪,୦୦୦କୁ ବୃଦ୍ଧି ପାଇଛି। ଏଥି ସହିତ ଆହତଙ୍କ ସଂଖ୍ୟା ବର୍ତ୍ତମାନ ଏକ ଲକ୍ଷରେ ପହଞ୍ଚିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଧ୍ବଂସାବଶେଷ ତଳେ ଦବି ହୋଇ ରହିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶର ଉଦ୍ଧାରକାରୀ ଦଳ ଗତ ୬ ଦିନ ଧରି ପ୍ରବଳ ଶୀତରେ ନିରନ୍ତର ଉଦ୍ୟମ କରିଆସୁଛନ୍ତି।

ରବିବାର ମୃତକଙ୍କ ସଂଖ୍ୟା ୩୪,୧୦୫କୁ ବୃଦ୍ଧି ପାଇଛି। ତୁର୍କୀରେ ଏପର୍ଯ୍ୟନ୍ତ ୨୯,୬୦୫ ଜଣଙ୍କର ମୃତ୍ୟୁ ହୋଇଥିବା ତୁର୍କୀ ଇମର୍ଜେନ୍ସି କୋଅର୍ଡିନେସନ ସେଣ୍ଟର (ସାକୋମ୍) ତରଫରୁ କୁହାଯାଇଛି ।

ଅନ୍ୟପକ୍ଷରେ ସିରିଆରେ ୪,୫୭୪ ଜଣଙ୍କର ମୃତ୍ୟୁ ଘଟିଛି। ସିରିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ସିରିଆର ଉତ୍ତର-ପୂର୍ବ ଅଞ୍ଚଳରେ ୩,୧୬୦ ଲୋକ ପ୍ରାଣ ହରାଇଛନ୍ତି। ସିରିଆ ସରକାରୀ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସରକାରୀ ନିୟନ୍ତ୍ରଣ ଅଞ୍ଚଳରେ ୧,୪୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ମଧ୍ୟ ଖୁବ୍ ଶୀଘ୍ର ସିରିଆର ବିଦ୍ରୋହୀ ଦଖଲରେ ଥିବା ଅଞ୍ଚଳ ପରିଦର୍ଶନ କରିପାରିନ୍ତି |

ଅନ୍ୟପକ୍ଷରେ ତୁର୍କୀ-ସିରିଆ ସୀମାରେ ଅବସ୍ଥିତ କାହରାମନାରାସ ସହରରେ ସ୍ଥାନୀୟ ସମୟ ଅନୁଯାୟୀ ରବିବାର ଦିନ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟରେ ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି ।

ଗତ ସୋମବାର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁର୍କୀ-ସିରିଆରେ କ୍ରମାଗତ ଭୂକମ୍ପ ଝଟକା ଅନୁଭୂତ ହେଉଛି।

Comments are closed.