ରବୀନ୍ଦ୍ରନାଥ ସାହୁ ନୟାଗଡ଼ର ନୂଆ ଜିଲ୍ଲାପାଳ, ପୋମା ଟୁଡୁଙ୍କୁ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି

ଭୁବନେଶ୍ୱର – ରାଜ୍ୟ ସରକାର ଆଜି ଆଇଏଏ ସ୍ତରରେ ଅଦଳବଦଳ କରିଛନ୍ତି । ୨୦୧୨ ବ୍ୟାଚ୍ ଆଇଏଏସ୍ ତଥା ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍ ଆଇଏଏସ୍ ରବୀନ୍ଦ୍ର ନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ରବୀନ୍ଦ୍ରନାଥ ସାହୁ ଦୀର୍ଘଦିନ ଧରି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କୁ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେ ରାଜ୍ୟ ସରକାରରେ ଯୁଗ୍ମ ସଚିବ ଭାବେ ମାନ୍ୟତା ପାଇବେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଆଇଏଏସ୍ ବୃନ୍ଦା ଡି ଏବେ ଅତିରିକ୍ତ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଏହି ଦାୟିତ୍ୱ ପୋମା ନେବା ପରେ ବୃନ୍ଦା କେବଳ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଓ ଖାଦ୍ୟ ନିରାପତ୍ତା କମିଶନର ଭାବେ କାର୍ଯ୍ୟ କରିବେ ।

୨୦୧୯ ଓ ୨୦୨୦ ବ୍ୟାଚ୍ ଆଇଏଏସ ଅଫିସରଙ୍କୁ ନୂଆ ଦାୟିତ୍ୱ ମିଳିଛି । ୨୦୧୯ ବ୍ୟାଚ୍ ଆଇଏଏସ ଅଫିସରମାନେ ଏବେ ପ୍ରଶିକ୍ଷଣରେ ଥିବାବେଳେ ସରକାର ସେମାନଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ୨୦୧୯ ବ୍ୟାଚ୍ ଆଇଏଏସ୍ ତଥା କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କୁ ବରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଭାବେ ବଦଳି କରାଯାଇଛି । ସେ ମଧ୍ୟ କୁଚିଣ୍ଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହେବାପରେ ୨୦୨୦ ବ୍ୟାଚ୍ ଆଇଏଏସ୍ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ସହ କୁଚିଣ୍ଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Comments are closed.