ଅବକାରୀ ଦୁର୍ନୀତି: ଇଡିର ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆପ୍ ସାଂସଦ ରାଘବ ଚଢାଙ୍କ ନାଁ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ଅଡ଼ୁଆ ବଢ଼ିବାରେ ଲାଗିଛି। ମନୀଷ ସିସୋଦିଆଙ୍କ ପରେ ଏବେ ଏହି ମାମଲାରେ ଆପର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଇଡିର ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରାଘବ ଚଢ଼ାଙ୍କ ନାଁ ରହିଛି।

ଅବକାରୀ ନୀତି ପ୍ରଣୟନ ବେଳେ ଜାଲିଆତି କାରବାର ନେଇ ଷଡଯନ୍ତ୍ର ହୋଇଥିଲା ବୋଲି ଇଡି ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଦାବି କରିଛି।‌ ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ କେନ୍ଦ୍ରୀୟ ସଂସ୍ଥାକୁ କହିଥିଲେ ଯେ ମନୀଷ ସିସୋଦିଆଙ୍କ ଘରେ ଅନୁଷ୍ଠିତ ବୈଠକରେ ରାଘବ ଚଢା ମଧ୍ୟ ଉପସ୍ଥିତ ଥିଲେ। ସି ଅରବିନ୍ଦଙ୍କ ବୟାନ ଅନୁଯାୟୀ, ବୈଠକରେ ପଞ୍ଜାବ ଅବକାରୀ କମିଶନର ବରୁଣ ରୋଜାମଙ୍କ ସହ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ବିଜୟ ନାୟାର ଏବଂ ପଞ୍ଜାବ ଅବକାରୀ ନିର୍ଦ୍ଦେଶାଳୟର ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ।

କେଜ୍ରିୱାଲ ସରକାର ୧୭ ନଭେମ୍ବର ୨୦୨୧ରେ ନୂଆ ମଦ ନୀତି ଲାଗୁ କରିଥିଲେ । କିନ୍ତୁ ଏହା ପରେ ଏହି ନୀତି ପ୍ରତ୍ୟାହାର କରି ନିଆଯାଇଥିଲା ।

ନୂଆ ମଦ ନୀତି ଲାଗୁ ହେବା ପରେ ସରକାର ରାଜସ୍ୱ ବୃଦ୍ଧି ଏବଂ ମାଫିଆ ରାଜ ଶେଷ ହେବ ବୋଲି କହିଥିଲେ । କିନ୍ତୁ ଏହାର ବିପରୀତ ହୋଇଥିଲା ବୋଲି ଅଭିଯୋଗ ହୋଇଛି । ନୂଆ ଅବକାରୀ ନୀତି ଯୋଗୁଁ ଦିଲ୍ଲୀ ସରକାର ରାଜସ୍ୱ ହରାଇଥିଲେ। ଜୁଲାଇ ୨୦୨୨ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଏନେଇ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଏକ ରିପୋର୍ଟ ଦେଇଥିଲେ । ଏଥିରେ କିଛି ମଦ ବ୍ୟବସାୟୀଙ୍କୁ ମନୀଷ ସିସୋଦିଆ ଅଯଥା ଅନୁଗ୍ରହ ଦେଖାଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଦିଲ୍ଲୀର ଉପରାଜ୍ୟପାଳ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଅଗଷ୍ଟ ୧୭, ୨୦୨୨ରେ ସିବିଆଇ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ସେହି ବର୍ଷ ଅଗଷ୍ଟ ୨୨ରେ ଇଡିର ମଧ୍ୟ ଏହି ମାମଲାରେ ଏଣ୍ଟ୍ରି ହୋଇଥିଲା | ଇଡି ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ପ୍ରାୟ ୬ ମାସର ତଦନ୍ତ ଏବଂ ପଚରାଉଚରା ପରେ ସିବିଆଇ ଚଳିତ ବର୍ଷ ଫେବୃଆରୀ ୨୬ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହାର କିଛି ଦିନ ପରେ ଇଡି ମଧ୍ୟ ଜେଲରେ ସିସୋଦିଆଙ୍କୁ ଗିରଫ କରିଥିଲା। ନିକଟରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ କୋର୍ଟ ଖାରଜ କରିଦେଇଥିଲେ।

Comments are closed.