ଆପ୍ ସାଂସଦ ରାଘବ ଚଢ଼ା ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ଜାଲ୍ ଦସ୍ତଖତ ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଗୃହରେ ତାଙ୍କର ଆଚରଣ ନିନ୍ଦନୀୟ ବୋଲି ଦର୍ଶାଇ ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧରଖର ।

ରାଘବ ଚଢ଼ାଙ୍କୁ ନିଲମ୍ବିତ କରିବା ପାଇଁ ରାଜ୍ୟସଭାରେ ଶାସକ ଦଳର ନେତା ପୀୟୁଷ ଗୋୟଲ ପ୍ରସ୍ତାବ ଆଗତ କରିଥିଲେ। ସେ କହିଥିଲେ, ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ । ଅନ୍ୟ ସଦସ୍ୟଙ୍କ ଅଜାଣତରେ ସେମାନଙ୍କ ନାମ ଚଢ଼ା ସଂସଦୀୟ କମିଟି ତାଲିକାରେ ଉଲ୍ଲେଖ କରିଥିଲେ । ଏହା ନିୟମର ଖୋଲାଖୋଲି ଅବମାନନା ଓ ଉଲ୍ଲଂଘନ। ଏହି ମାମଲାରେ ସ୍ୱାଧିକାର କମିଟିର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଚଢ଼ାଙ୍କୁ ରଜ୍ୟସଭାରୁ ନିଲମ୍ବିତ କରାଯାଉ ବୋଲି ଗୋୟଲ ଦାବି କରିଥିଲେ । ଏହି ପ୍ରସ୍ତାବକୁ ଗ୍ରହଣ କରି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧରଖର ଚଢ଼ାଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ।

ବିଜେଡି ସାଂସଦ ସସ୍ମିତ୍ ପାତ୍ରଙ୍କ ସହ ଏସ୍ ଫାଙ୍ଗନ କନ୍ୟାକ୍, ଏମ୍ ଥାମ୍ବିଦୁରାଇ ଏବଂ ନରହରି ଅମିନଙ୍କ ଅଭିଯୋଗ ଆଧାରରେ ରାଘବ ଚଢ଼ାଙ୍କୁ ନିଲମ୍ବିତ କରାଯାଇଛି । ଦିଲ୍ଲୀ ସେବା ବିଲ୍ ଉପରେ ଏକ ସିଲେକ୍ଟ କମିଟି ଗଠନ ପାଇଁ ପ୍ରସ୍ତାବ ଦେବା ସହ ରାଘବ ଚଢ଼ା ବିନା ଅନୁମତିରେ ଏହି ଚାରି ସାଂସଦଙ୍କ ନାମ ତାଲିକାରେ ଉଲ୍ଲେଖ କରିଥିଲେ ।

Comments are closed.