ଦେଶରେ ଘୃଣା ଓ ଭୟର ବାତାବରଣ ସୃଷ୍ଟି କରୁଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ଦରବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସର ହଲ୍ଲାବୋଲ୍ ରାଲିରେ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି । କେନ୍ଦ୍ରର ବିଜେପି ସରକାର ଦେଶରେ ଘୃଣା ଓ ଭୟର ବାତାବରଣ ସୃଷ୍ଟି କରିଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

“ଘୃଣା ଲୋକଙ୍କୁ ବିଭକ୍ତ କରେ, ଦେଶକୁ ବିଭାଜନ କରେ, ଦେଶ ଦୁର୍ବଳ ହୁଏ। ବିଜେପି-ସଂଘ ନେତାମାନେ ଦେଶକୁ ବିଭକ୍ତ କରନ୍ତି । ଜାଣିଶୁଣି ଦେଶରେ ଭୟ ସୃଷ୍ଟି କରନ୍ତି, ଘୃଣା ସୃଷ୍ଟି କରନ୍ତି। ଭାରତରେ ଭୟ ବଢ଼ୁଛି। ଭବିଷ୍ୟତର ଭୟ, ମୁଦ୍ରାସ୍ଫୀତି ଭୟ, ବେକାରୀ ଭୟ ଏହି ଭୟ ବଢ଼ିବାରେ ଲାଗିଛି । ଏଥି ଯୋଗୁଁ ଭାରତରେ ଘୃଣା ବୃଦ୍ଧି ପାଉଛି ବୋଲି ରାହୁଲ କହିଛନ୍ତି ।

ସେ କହିଛନ୍ତି, “ତୁମେ ଯାଇ ଆଜି କୌଣସି ଦୋକାନୀ, ଶ୍ରମିକ ଏବଂ କୃଷକଙ୍କୁ ପଚାର, ୟୁପିଏ ଏବଂ ଆଜିର ସମୟ ମଧ୍ୟରେ ପାର୍ଥକ୍ୟ କ’ଣ? ୟୁପିଏ ସରକାରରେ ଚାଷୀଙ୍କୁ ୭୦ ହଜାର କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ନରେନ୍ଦ୍ର ମୋଦୀ ଜୀ ତିନୋଟି କଳା ଆଇନ ଦେଇଥିଲେ। ୟୁପିଏ ସରକାର ଶ୍ରମିକମାନଙ୍କୁ ମନରେଗା ଦେଇଥିଲେ । ମୋଦୀ ଜୀ ସଂସଦରେ ମନରେଗା ଏକ ବେକାର ନୀତି ବୋଲି କହିଥିଲେ। ଆଜି ତାଙ୍କୁ ମନରେଗା ଦେବାକୁ ପଡ଼ୁଛି |

“ଆମେ ଜମି ଅଧିଗ୍ରହଣ ଆଇନ ଆଣିଥିଲୁ ଏବଂ ଏହାକୁ ହଟାଇବା ଥିଲା ମୋଦୀ ଜୀଙ୍କ ପ୍ରଥମ କାର୍ଯ୍ୟ। ଆମେ କୋଟି କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଛୁ। ମନରେଗା, ଋଣ ଛାଡ଼ ଭଳି ପଦ୍ଧତି ମାଧ୍ୟମରେ ଆମେ ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଛୁ।”

“ନରେନ୍ଦ୍ର ମୋଦୀ ଜୀ ଭାରତରେ ଘୃଣାର ପ୍ରସାର କରୁଛନ୍ତି। ଏହା ଦ୍ବାରା ଦେଶର ଶତ୍ରୁମାନଙ୍କୁ ଲାଭ ମିଳିବ, ଚୀନ୍, ପାକିସ୍ତାନ ମଧ୍ୟ ଉପକୃତ ହେବ। ଭାରତରେ ଯେତେ ଘୃଣା ଓ ଭୟ ବଢ଼ିବ, ଭାରତ ସେତେ ଦୁର୍ବଳ ହେବ। ଗତ ୮ ବର୍ଷ ଧରି ମୋଦୀଜୀ ଦେଶକୁ ଶେଷ କରିବା ପାଇଁ କାର୍ଯ୍ୟ କରିଛନ୍ତି ବୋଲି ରାହୁଲ କହିଛନ୍ତି।

ରାହୁଲ କହିଛନ୍ତି, ଆଜି ସରକାରଙ୍କ ବିରୋଧରେ ଅବା ପ୍ରଧାନମନ୍ତ୍ରୀ ଜୀଙ୍କ ବିରୋଧରେ କେହି ମୁହଁ ଖୋଲିଲେ, ତା’ ବିରୋଧରେ ଇଡିକୁ ଲଗାଇ ଦିଆଯାଉଛି। ନ୍ୟାୟପାଳିକା, ଗଣମାଧ୍ୟମକୁ ନିୟନ୍ତ୍ରଣ କରି ସରକାର ବାକ୍ ସ୍ବାଧୀନତାକୁ ଧ୍ବସ୍ତ କରିଛନ୍ତି।

Comments are closed.