ପୁଣି ଇଡିରେ ହାଜର ହେଲେ ରାହୁଲ, ପଚରାଉଚରା ଜାରି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ମଙ୍ଗଳବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲଗାତାର ଦ୍ୱିତୀୟ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଛନ୍ତି ଏବଂ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ପଚରାଉଚରା ଜାରି ରଖିଛି ।

ରାହୁଲ ଏପିଜେ ଅବଦୁଲ କଲାମ ରୋଡରେ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ତାଙ୍କ ସହ ଥିଲେ।

ସୋମବାର ଦିନ ଇଡି ଏହି କଂଗ୍ରେସ ନେତାଙ୍କୁ ପ୍ରାୟ ୧୧ ଘଣ୍ଟା ଧରି ଜେରା କରିଥିଲା । ଏହା ପରେ ଇଡି ରାହୁଲ ଗାନ୍ଧୀଙ୍କୁ ମଙ୍ଗଳବାର ପୁଣି ହାଜର ହେବାକୁ କହିଥିଲେ।

ଅନ୍ୟପକ୍ଷରେ ସୋମବାର ଭଳି ରାହୁଲ ଗାନ୍ଧୀଙ୍କ ହାଜର ନେଇ କଂଗ୍ରେସ ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନେକ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଛି । ଆଜି ମଧ୍ୟ କଂଗ୍ରେସ ମୁଖ୍ୟାଳୟକୁ ଲାଗିଥିବା ଅଞ୍ଚଳରେ ପୋଲିସ ଧାରା ୧୪୪ ଲଗାଇଛି।

Comments are closed.