ବଳାତ୍କାରୀଙ୍କୁ ବିଜେପିର ସମର୍ଥନ ନେଇ ପ୍ରଧାନମନ୍ତ୍ରୀ କ’ଣ ଲଜ୍ଜିତ ଅନୁଭବ କରୁ ନାହାଁନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଗୁଜରାଟର ବିଲକିସ୍ ବାନୋ ମାମଲା ଏବଂ ଅନ୍ୟ ମାମଲାରେ ଅପରାଧୀଙ୍କ ସମର୍ଥନ ମହିଳାଙ୍କ ପ୍ରତି ବିଜେପିର ସଂକୀର୍ଣ୍ଣ ମାନସିକତାକୁ ପ୍ରତିଫଳିତ କରୁଛି ବୋଲି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି । ଏଭଳି ରାଜନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଜ୍ଜିତ ଅନୁଭବ କରୁ ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, “ଉନ୍ନାଓ – ବିଜେପି ବିଧାୟକଙ୍କୁ ବଞ୍ଚାଇବା କାମ। କଠୁଆ- ବଳାତ୍କାରୀଙ୍କ ସମର୍ଥନରେ ରାଲି | ହାଥରସ୍- ବଳାତ୍କାରୀଙ୍କ ସପକ୍ଷରେ ସରକାର। ଗୁଜରାଟ – ବଳାତ୍କାରୀଙ୍କ ମୁକ୍ତି ଏବଂ ସମ୍ମାନ! ”

ଅପରାଧୀଙ୍କ ସମର୍ଥନ ମହିଳାଙ୍କ ପ୍ରତି ବିଜେପିର ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଉଛି। ଏପରି ରାଜନୀତିରେ ଆପଣଙ୍କୁ ଲଜ୍ଜା ଲାଗୁ ନାହିଁ, ପ୍ରଧାନମନ୍ତ୍ରୀଜୀ?

ବିଲକିସ୍ ବାନୋ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଦୋଷୀଙ୍କୁ ସୋମବାର ଗୋଧ୍ରା ସବ-ଜେଲରୁ ମୁକ୍ତ କରାଯାଇଛି। ଗୁଜୁରାଟ ସରକାର ଏହାର କ୍ଷମା ପ୍ରଦାନ ନୀତି ଅନୁଯାୟୀ ଏହି ଅପରାଧୀମାନଙ୍କୁ ଖଲାସ କରିବାକୁ ଅନୁମୋଦନ କରିଥିଲେ ।

ବିଲକିସ୍ ବାନୋଙ୍କୁ ବଳାତ୍କାର କରିବା ସହ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିବା ମାମଲାରେ ଜାନୁଆରୀ ୨୧, ୨୦୦୮ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ପରେ ସେମାନଙ୍କ ବିରୋଧରେ ଦଣ୍ଡାଦେଶ ବମ୍ବେ ହାଇକୋର୍ଟ ମଧ୍ୟ କାଏମ ରଖିଥିଲେ ।

Comments are closed.