‘ଏତେ ଭୟ କାହିଁକି ?’ – ଆଦାନୀ ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଆଦାନୀଙ୍କ କମ୍ପାନୀରେ ଲୋକଙ୍କ ପଇସା ନିବେଶ ଅଭିଯୋଗର କାହିଁକି ଯାଞ୍ଚ କରାଯାଉ ନାହିଁ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ରାହୁଲ ଟ୍ୱିଟ୍ କରି କହିଛନ୍ତି, “ଏଲଆଇସିର ପଇସା, ଆଦାନୀଙ୍କୁ! ଏସବିଆଇର ପଇସା, ଆଦାନୀଙ୍କୁ! ଇପିଏଫ୍ ର ପଇସା ମଧ୍ୟ ଆଦାନୀ କମ୍ପାନୀରେ! ‘ମୋଦାନୀ’ ବିଷୟରେ ଖୁଲାସା ପରେ ମଧ୍ୟ ଆଦାନୀଙ୍କ କମ୍ପାନୀକୁ ଲୋକଙ୍କ ଅବସରକାଳୀନ ଟଙ୍କା କାହିଁକି ଯାଉଛି? ପ୍ରଧାନମନ୍ତ୍ରୀ ମହୋଦୟ, ଏହାର ନା ତଦନ୍ତ ନା ଉତ୍ତର ! ଏତେ ଭୟ କାହିଁକି?”

ଗତ ମାସରେ ଆମେରିକାର ସର୍ଟ ସେଲର କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ସେୟାର ମାର୍କେଟରେ ଆଦାନୀ ଗ୍ରୁପର ବିପୁଳ କ୍ଷତି ହୋଇଥିଲା । ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଭାରତରେ ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସହ ତାଙ୍କ ସମ୍ପର୍କ ନେଇ ବିରୋଧୀ, ବିଶେଷକରି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଥିଲା ।

ଗୌତମ ଆଦାନୀଙ୍କ ଗ୍ରୁପ୍ ହିଣ୍ଡେନବର୍ଗ ଅଭିଯୋଗକୁ ଖଣ୍ଡନ କରିଥିଲା । ଆଦାନୀ ଗ୍ରୁପ୍ କହିଥିଲା ଯେ ଆମେ ସମସ୍ତ ପ୍ରଯୁଜ୍ୟ ନିୟମ ପାଳନ କରୁଛୁ।

Comments are closed.