ଭାରତରେ ପଶିଛି ଚୀନ୍ ସେନା, ଲଦାଖରେ ରାହୁଲ ଗାନ୍ଧୀଙ୍କ ବଡ଼ ଦାବି

ଲଦାଖ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଲଦାଖର ପାଙ୍ଗୋଙ୍ଗ ସୋ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାଛଡ଼ା ଚୀନ୍ ସହିତ ସୀମା ବିବାଦ ନେଇ ରାହୁଲ ବଡ଼ ଦାବି କରିଛନ୍ତି । ଲଦାଖ ଗସ୍ତରେ ଆସିଥିବା ପୂର୍ବତନ କଂଗ୍ରେସ ସଭାପତି ରବିବାର କହିଛନ୍ତି ଯେ ଚୀନ୍ ସେନା ଭାରତୀୟ ଅଞ୍ଚଳକୁ ପଶି ଆସିଛନ୍ତି । ଏଠାକାର ଲୋକ ତାଙ୍କୁ ଏଭଳି କହିଛନ୍ତି ।

ରାହୁଲ କହିଛନ୍ତି, ଲଦାଖରେ ମୁଦ୍ରାସ୍ଫୀତି ଏବଂ ବେକାରୀ ଶୀର୍ଷରେ ପହଞ୍ଚିଛି । ଏହି ସମସ୍ୟା ଦୂର କରିବା ପାଇଁ ସରକାର କିଛି କରିନାହାଁନ୍ତି। ଚୀନ୍ ଆମର ଇଞ୍ଚେ ଜାଗା ମଧ୍ୟ ଦଖଲ କରିନାହିଁ ବୋଲି ଭାରତ ସରକାର ଦାବି କରୁଛନ୍ତି । କିନ୍ତୁ ଏଠାରେ ଲୋକମାନେ ମୋତେ କହିଛନ୍ତି ଯେ ଚୀନ୍ ସେନା ଭାରତରେ ଅନୁପ୍ରବେଶ କରିସାରିଛି।

ରାହୁଲ ଗାନ୍ଧୀ କହିଛନ୍ତି, ଏଠାରେ ଚିନ୍ତାର ବିଷୟ ହେଉଛି ଚୀନ୍ ଆମ ଜମି ଛଡ଼ାଇ ନେଇଛି। ଲୋକମାନେ କହୁଛନ୍ତି ଚୀନ୍ ସେନା ଏହି ଅଞ୍ଚଳକୁ ପଶି ସେମାନଙ୍କର ଗୋଚର ଜମି କବଜା କରିନେଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ଆମର ଇଞ୍ଚେ ଜମି ମଧ୍ୟ ଯାଇନାହିଁ। ଏହା ସତ ନୁହେଁ । ଆପଣ ଏଠାରେ କାହାକୁ ବି ପଚାରିପାରିବେ।

କଂଗ୍ରେସର ପୂର୍ବତନ ସଭାପତି କହିଛନ୍ତି, ଲଦାଖର ଲୋକଙ୍କର ଅନେକ ଅଭିଯୋଗ ରହିଛି । ସେମାନଙ୍କୁ ଦିଆଯାଇଥିବା ମାନ୍ୟତାରେ ସେମାନେ ଖୁସି ନୁହଁନ୍ତି । ସେମାନେ ପ୍ରତିନିଧିତ୍ୱ ଚାହୁଁଛନ୍ତି । ବେକାରୀ ସମସ୍ୟା ରହିଛି। ଲଦାଖରେ ଅମଲାତନ୍ତ୍ର ଶାସନ ନୁହେଁ ବରଂ ଲୋକଙ୍କ ଶାସନ ଚାଲିବା ଉଚିତ ବୋଲି ଏହି ରାଜ୍ୟର ଲୋକ କହୁଛନ୍ତି ।

Comments are closed.