ମୋ ଫୋନରେ ପେଗାସସ୍ ଥିଲା, ସତର୍କ ରହିବାକୁ କହିଥିଲେ ଅଧିକାରୀ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ପ୍ରତି ବ୍ରିଟେନ ଗସ୍ତରେ ଅଛନ୍ତି। କେମ୍ବ୍ରିଜରେ ତାଙ୍କ ଅଭିଭାଷଣରେ ସେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଫୋନରେ ଗୁଇନ୍ଦା ସଫ୍ଟୱେର୍ ପେଗାସସ୍ ଥିଲା ବୋଲି ସେ ଦାବି କରିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତରେ ଗଣତନ୍ତ୍ର ବିପଦରେ। ଭାରତର ବହୁ ନେତାଙ୍କ ଫୋନରେ ପେଗାସସ୍ ଥିଲା। ମୋ ଫୋନରେ ମଧ୍ୟ ପେଗାସସ୍ ଥିଲା | ରାହୁଲ ଦାବି କରିଛନ୍ତି ଯେ ଫୋନରେ କଥା ହେବାବେଳେ ତାଙ୍କୁ ସତର୍କ ରହିବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ କାରଣ ମୋ ଫୋନ୍ ରେକର୍ଡ କରାଯାଉଥିଲା |

କଂଗ୍ରେସ ପୂର୍ବତନ ସଭାପତି ରାହୁଲ କହିଛନ୍ତି ଯେ ଭାରତରେ ଗଣତନ୍ତ୍ର ବିପଦରେ। ଆମେ ଏକ ନିରନ୍ତର ଚାପ ଅନୁଭବ କରୁଛୁ | ବିରୋଧୀ ଦଳର ନେତାଙ୍କ ବିରୋଧରେ କେସ୍ କରାଯାଉଛି । ମୋ ବିରୋଧରେ ଅନେକ ମିଛ ମାମଲା ଦାୟର କରାଯାଇଛି। ଏଭଳି ମାମଲାରୁ ମୁକୁଳିବାକୁ ଆମେ ଚେଷ୍ଟା କରୁଛୁ |

ଏକ ଅସହିଷ୍ଣୁ ସମାଜରେ ‘ଶୁଣିବା କଳା’ ଉପରେ ରାହୁଲ ଗାନ୍ଧୀଙ୍କ ସମ୍ବୋଧନ ଆଧାରିତ ଥିଲା । ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଚିନ୍ତାଧାରା ଆବଶ୍ୟକ ବୋଲି ରାହୁଲ କହିଛନ୍ତି ।

କେମ୍ବ୍ରିଜରେ ରାହୁଲ ଗାନ୍ଧୀ ଉଠାଇଥିବା ‘ପେଗାସସ୍’ ହେଉଛି ଏକ ଗୁଇନ୍ଦା ସଫ୍ଟୱେର | ଏହି କାରଣରୁ ଏହାକୁ ସ୍ପାଏୱେର ମଧ୍ୟ କୁହାଯାଏ | ଇସ୍ରାଏଲ୍ ସଫ୍ଟୱେର୍ କମ୍ପାନୀ ଏନ୍ଏସ୍ଓ ଗ୍ରୁପ୍ ହେଉଛି ଏହି ସଫ୍ଟୱେରର ନିର୍ମାତା । ପେଗାସସ୍ ସଫ୍ଟୱେର୍ ଟାର୍ଗେଟ୍ ଫୋନରେ ଇନଷ୍ଟଲ୍ କରାଯାଇ ସମସ୍ତ ଗୋପନୀୟ ତଥ୍ୟ ଜଣେ ବ୍ୟକ୍ତିଙ୍କ ବିନା ଜ୍ଞାତସାରରେ ସଂଗ୍ରହ କରାଯାଇ ପାରିବ | ଏହି ସଫ୍ଟୱେର୍ ଫୋନ୍ ଭିତରକୁ ଯିବା ମାତ୍ରେ ଫୋନ୍ ଏକ ସିସିଟିଭି ଡିଭାଇସ୍ ଭାବରେ କାମ କରିବା ଆରମ୍ଭ କରିଥାଏ | ଏହା ଦ୍ବାରା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଫୋନକୁ ଟାର୍ଗେଟ୍ କରାଯାଇ ପାରିବ |

ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ୨୦୧୯ରେ ଭାରତରେ ଅତି କମରେ ୧୪୦୦ ଲୋକଙ୍କ ବ୍ୟକ୍ତିଗତ ମୋବାଇଲ୍ କିମ୍ବା ସିଷ୍ଟମ ଉପରେ ପେଗାସସ୍ ଦ୍ବାରା ଗୁଇନ୍ଦାଗିରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ୪୦ ଜଣ ପ୍ରସିଦ୍ଧ ସାମ୍ବାଦିକ, ବିରୋଧୀ ଦଳର ତିନିଜଣ ବଡ଼ ନେତା, ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଜଣେ ବଡ଼ ବ୍ୟକ୍ତି, ଦୁଇଜଣ କେନ୍ଦ୍ରମନ୍ତ୍ରୀ, ସୁରକ୍ଷା ଏଜେନ୍ସିର ବହୁ ବରିଷ୍ଠ ଅଧିକାରୀ, ଶିଳ୍ପପତିଙ୍କ ଉପରେ ଜାସୁସି କରାଯାଇଥିଲା । ଏହାକୁ ନେଇ ଆଲୋଡ଼ନ ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

Comments are closed.