ମୋଦୀ ସାଙ୍ଗିଆ ମାମଲା: ହାଇକୋର୍ଟ ଗଲେ ରାହୁଲ ଗାନ୍ଧୀ

ଅହମ୍ମଦାବାଦ: ‘ମୋଦୀ ସାଙ୍ଗିଆ’ ବୟାନ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟର ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। କଂଗ୍ରେସ ନେତାଙ୍କ ଓକିଲ ବିଏମ ମଙ୍ଗୁକିଆ ଏହା ସ୍ପଷ୍ଟ କରିଛନ୍ତି । ଏହି ସପ୍ତାହରେ ହାଇକୋର୍ଟରେ ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି ହୋଇପାରେ।

ଗୁଜରାଟ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ତରଫରୁ ଦାୟର ୨୦୧୯ ମାମଲାରେ ସୁରଟର ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ମାର୍ଚ୍ଚ ୨୩ରେ ପୂର୍ବତନ କଂଗ୍ରେସ ସଭାପତିଙ୍କୁ ଆଇପିସିର ଧାରା ୪୯୯ ଏବଂ ୫୦୦ (ଅପରାଧିକ ମାନହାନି) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ଏହି କୋର୍ଟ ରାୟ ପରେ ଲୋକ ପ୍ରତିନିଧୀ ଆଇନ ଅନୁଯାୟୀ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ରାହୁଲ ଗାନ୍ଧୀ କେରଳର ୱାୟାନାଡରୁ ଲୋକସଭା ସାଂସଦ ଥିଲେ। ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ରାହୁଲଙ୍କ ଆବେଦନ ସୁରଟ ସେସନ୍ସ କୋର୍ଟ ଏପ୍ରିଲ ୨୦ରେ ଖାରଜ କରିଦେଇଥିଲେ। ଏହି ମାମଲାରେ ରାହୁଲ ଗାନ୍ଧୀ ବର୍ତ୍ତମାନ ଜାମିନରେ ଅଛନ୍ତି।

Comments are closed.