ନ୍ୟାୟ ଯାତ୍ରାରେ ଲାଗିବ ବ୍ରେକ୍, ଆଜି କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ, ମାମଲା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଆଜି‌ ସାମୟିକ ବ୍ରେକ୍ ଲାଗିପାରେ। ଏକ ମାନହାନି ମାମଲାରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲା କୋର୍ଟରେ ହାଜର ହୋଇପାରନ୍ତି । ରାହୁଲ ସମ୍ପ୍ରତି ୟୁପିରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ମଙ୍ଗଳବାର ସକାଳେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କିଛି ସମୟ ପାଇଁ ସ୍ଥଗିତ ରହିବ। କାରଣ ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ସୁଲତାନପୁର ଜିଲ୍ଲା କୋର୍ଟରେ ହାଜର ହେବେ।

୨୦୧୮ର‌ ଏକ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରାଯାଇଥିଲା। ସେହି ବର୍ଷ ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ବିଜୟ ମିଶ୍ରା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁଲତାନପୁରର ଏମପି /ଏମ୍ଏଲ୍ଏ କୋର୍ଟ ସମନ କରିଥିଲେ।

ଅଭିଯୋଗରେ ବିଜୟ ମିଶ୍ର କହିଥିଲେ ଯେତେବେଳେ ଏହି ଘଟଣା ଘଟିଥିଲା, ମୁଁ ବିଜେପିର ଜିଲ୍ଲା ଉପାଧ୍ୟକ୍ଷ ଥିଲି। ରାହୁଲ ଗାନ୍ଧୀ ବେଙ୍ଗାଲୁରୁରେ ଅମିତ ଶାହଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟ ମୋତେ ଆଘାତ ଦେଇଥିଲା । କାରଣ ମୁଁ ଜଣେ ଦଳର କର୍ମୀ। ରାହୁଲଙ୍କ ବିରୋଧରେ ଏନେଇ ୪ ଅଗଷ୍ଟ ୨୦୧୮ରେ ସୁଲତାନପୁରର ଜିଲ୍ଲା କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା।

ଏହି ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ରାହୁଲ ଗାନ୍ଧୀଙ୍କୁ ସର୍ବାଧିକ ୨ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ଏହି ମାମଲାରେ ରାହୁଲ ଗାନ୍ଧୀ ଆଜି ଦିନ ୧୧ଟାରେ ସୁଲତାନପୁର କୋର୍ଟରେ ହାଜର ହେବେ। ଏଥିପାଇଁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଙ୍ଗଳବାର କିଛି ସମୟ ପାଇଁ ସ୍ଥଗିତ ରହିବ। ସନ୍ଧ୍ୟାରେ ରାହୁଲ ଗାନ୍ଧୀ ଆମେଥୀର ବାବୁଗଞ୍ଜରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Comments are closed.