ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ୧୨ ତୁଗଲକ୍ ଲେନରେ ଥିବା ତାଙ୍କ ସରକାରୀ ବାସଭବନ ସମ୍ପୂର୍ଣ୍ଣ ରୂପେ ଖାଲି କରିଛନ୍ତି। ସାଂସଦ ଭାବରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା । ରାହୁଲ ପ୍ରାୟ ଦୁଇ ଦଶନ୍ଧି ଧରି ଏହି ଘରେ ରହୁଥିଲେ। ସୂଚନାନୁସାରେ, କଂଗ୍ରେସ ନେତା ଶନିବାର ସରକାରୀ ବଙ୍ଗଳାର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିବେ।

ରାହୁଲ ଏବେ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନ ୧୦ ଜନପଥରେ ରହିବେ। ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ମାସରେ ଲୋକସଭା ସାଂସଦ ଭାବେ ଅଯୋଗ୍ୟ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ୧୨ ତୁଗଲକ୍ ଲେନରେ ଥିବା ତାଙ୍କ ସରକାରୀ ବଙ୍ଗଳା ଖାଲି କରିଥିଲେ। ରାହୁଲ ଏପ୍ରିଲ୍ ୧୪ରେ ତାଙ୍କ ଅଫିସ୍ ଏବଂ କିଛି ବ୍ୟକ୍ତିଗତ ଜିନିଷକୁ ସରକାରୀ ବଙ୍ଗଳାରୁ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନକୁ ସ୍ଥାନାନ୍ତର କରିଥିଲେ।

‘ମୋଦୀ ସାଙ୍ଗିଆ’ବୟାନ ମାମଲାରେ ଦୁଇ ବର୍ଷ କାରାଦଣ୍ଡ ପରେ ଗତ ମାସରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ଏହା ପରେ ତାଙ୍କୁ ତାଙ୍କ ସରକାରୀ ଘର ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା।

ସରକାରୀ ବଙ୍ଗଳା ଖାଲି କରିବା ପରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ଥରୁର ଟ୍ୱିଟରରେ ଲେଖିଛନ୍ତି, “ଆଜି ଲୋକସଭା ସଚିବାଳୟର ଆଦେଶର ଜବାବରେ ରାହୁଲ ଗାନ୍ଧୀ ତାଙ୍କ ତୁଗଲକ୍ ଲେନ୍ ଘର ଖାଲି କରିଛନ୍ତି। ଅପିଲ କରିବାକୁ କୋର୍ଟ ତାଙ୍କୁ ୩୦ ଦିନ ସମୟ ଦେଇଛନ୍ତି ଏବଂ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ତାଙ୍କୁ ସାଂସଦ ଭାବେ ପୁନଃ ଅବସ୍ଥାପିତ କରିପାରିଥାନ୍ତେ । କିନ୍ତୁ ରାହୁଲ ସରକାରୀ ବାସଭବନ ଖାଲି କରି ଉଦାହରଣ ସୃଷ୍ଟି କରିଛନ୍ତି । ଏହା ନିୟମ ପ୍ରତି ତାଙ୍କର ସମ୍ମାନକୁ ଦର୍ଶାଉଛି। “

Comments are closed.