ମଣିପୁରରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ଅଟକାଇଲା ପୋଲିସ, କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ

ଇମ୍ଫାଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଗସ୍ତରେ ଗୁରୁବାର ମଣିପୁର ପହଞ୍ଚଛନ୍ତି । ତେବେ ହିଂସା ପ୍ରଭାବିତ ଚୁରାଚାନ୍ଦପୁର ଗଲାବେଳେ ବିଷ୍ଣୁପୁର ନିକଟରେ ପୋଲିସ ରାହୁଲ ଗାନ୍ଧୀଙ୍କୁ ଅଟକାଇଥିଲା। ହିଂସା ଆଶଙ୍କା ଦର୍ଶାଇ ପୋଲିସ ତାଙ୍କୁ ଆଗକୁ ଯିବାକୁ ଛାଡିନଥିଲା । କଂଗ୍ରେସ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛି । ମୋଦୀ ସରକାର ରାହୁଲ ଗାନ୍ଧୀଙ୍କୁ ଅଟକାଉଛନ୍ତି ବୋଲି ଦଳ ଅଭିଯୋଗ କରିଛି।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ ମୋଦୀ ସରକାର ରାହୁଲ ଗାନ୍ଧୀଙ୍କୁ ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିବା ଏବଂ ଇମ୍ଫାଲ ବାହାରେ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିବାରେ ବାରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମଣିପୁର ହିଂସା ନେଇ ପ୍ରଧାନମନ୍ତ୍ରୀ ନିରବ କିମ୍ବା ନିଷ୍କ୍ରିୟ ରହିପାରନ୍ତି, କିନ୍ତୁ ମଣିପୁରୀ ସମାଜର ସମସ୍ତ ବର୍ଗର କଥା ଶୁଣିବା ଏବଂ ସେମାନଙ୍କୁ ଆଶ୍ବସ୍ତି ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ଉଦ୍ୟମକୁ କାହିଁକି ରୋକା ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାହୁଲ ଗାନ୍ଧୀଙ୍କ କାର୍ କନଭୟକୁ ପୋଲିସ ଅଟକାଇବା ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଜେପି ଉପରେ ଆକ୍ରମଣ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ବିଷ୍ଣୁପୁର ନିକଟରେ ରାହୁଲ ଗାନ୍ଧୀଙ୍କ କନଭୟକୁ ପୋଲିସ ଅଟକାଇଛି। ସେ ସେଠାକୁ ଯାଇ ରିଲିଫ କ୍ୟାମ୍ପରେ ପୀଡ଼ିତଙ୍କୁ ଭେଟିବା ଏବଂ ହିଂସା ପ୍ରଭାବିତ ରାଜ୍ୟକୁ ରିଲିଫ ଯୋଗାଇବା ପାଇଁ ଯାଉଥିଲେ।

ମଣିପୁର ଉପରେ ନୀରବତା ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୌଣସି ତତ୍ପରତା ଦେଖାଉ ନାହାଁନ୍ତି। ସେ ମଣିପୁରକୁ ତାର ସାମ୍ପ୍ରତିକ ଅବସ୍ଥାରେ ଛାଡି ଦେଇଛନ୍ତି। ବର୍ତ୍ତମାନ ତାଙ୍କର ବିନାଶକାରୀ ଡବଲ୍ ଇଞ୍ଜିନ୍ ସରକାର ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାରୁ ଅଟକାଉଛି ।

ସେ କହିଛନ୍ତି ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ସମସ୍ତ ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ନିୟମ ଉଲ୍ଲଂଘନ । ମଣିପୁରକୁ ଶାନ୍ତି ଆବଶ୍ୟକ, ବିବାଦ ନୁହେଁ |

ରାହୁଲ ଗାନ୍ଧୀ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ହିଂସାଗ୍ରସ୍ତ ମଣିପୁରର ନାଗରିକ ସଂଗଠନର ପ୍ରତିନିଧୀ, ବୁଦ୍ଧିଜୀବୀ ଏବଂ ଅନ୍ୟମାନଙ୍କୁ ଭେଟି ରାଜ୍ୟର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିବା କାର୍ଯକ୍ରମ ରହିଛି । ରାଜ୍ୟର କଂଗ୍ରେସର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ଯେ ମଣିପୁରରେ ଜାତିଗତ ବିବାଦ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାନ୍ତ୍ୱନା ଦେବା ଏହି ଗସ୍ତର ଉଦ୍ଦେଶ୍ୟ। ଚଳିତ ବର୍ଷ ମେ ମାସରେ ମଣିପୁରରେ ଜାତିଗତ ବିବାଦ ଆରମ୍ଭ ହେବା ପରଠାରୁ ୩୦୦ରୁ ଅଧିକ ରିଲିଫ କ୍ୟାମ୍ପରେ ୫୦,୦୦୦ ବିସ୍ଥାପିତ ଲୋକ ରହୁଛନ୍ତି ।

Comments are closed.